ପଞ୍ଜୁରୀରେ ଓ ପକ୍ଷୀ ଅଭୟାରଣ୍ୟ ଭିତରେ ପକ୍ଷୀଙ୍କୁ ଦେଖିବା ଆଉ ଖୋଲା ଆକାଶ ତଳେ ସେମାନଙ୍କ ଉଡ଼ନ୍ତା ଦୃଶ୍ୟ ଦେଖିବାରେ ନିଶ୍ଚିତ ରହିଛି ଫରକ । କିନ୍ତୁ ଯେଉଁଠି ପ୍ରକୃତି ନାହିଁ ସେଠାରେ ପକ୍ଷୀ ବା ଆସିବେ କୁଆଡୁ । ଗାଡି ମଟର ଓ କୋଳାହଳ ଭିତରେ ମଧ୍ୟ ଦଳ ଦଳ ପକ୍ଷୀଙ୍କୁ ଯେ ଦେଖିବାକୁ ମିଳିବ ଏହା କେହି ଭାବି ନ ଥିବା ବେଳେ ଦୈନିକ ନିଜ ଆଖି ଆଗରେ ପକ୍ଷୀଙ୍କ ଗହଳି ଓ କାକଳିକୁ ପ୍ରତ୍ୟକ୍ଷ କରୁଛନ୍ତି ମହାରାଷ୍ଟ୍ର ପୁନେ ସହରର ଚନ୍ଦନ ନଗର ବାସିନ୍ଦା । ଏସବୁ ସମ୍ଭବ କରିଛନ୍ତି ସ୍ଥାନୀୟ ଜଣେ ଅଧ୍ୟାପିକା ସ୍ମିତା ପାସଲକର । ସ୍ମିତା ଫେସନ ଡିଜାଇନର ପଢାନ୍ତି । ଅଧ୍ୟାପନା ସମୟ ବାହାରେ ଉଦ୍ଭିଦ ଓ ପକ୍ଷୀଙ୍କ ପାଇଁ ସମୟ ଦିଅନ୍ତି । ବିଗତ ୬ ବର୍ଷ ପୂର୍ବରୁ ସେ ରହୁଥିବା ଚନ୍ଦନ ନଗର ଆପାର୍ଟମେଣ୍ଟ ନିକଟକୁ ଗୋଟିଏ ବି ପକ୍ଷୀ ଆସୁନଥିଲେ । କିନ୍ତୁ ୬ ବର୍ଷ ଭିତରେ ସେ ଏଭଳି ଯାଦୁ କଲେ ଯେଉଁଥିରେ ସମ୍ମୋହିତ ହୋଇ ଶହ ଶହ ପକ୍ଷୀ ତାଙ୍କ ଘରର ବାଲକୋନୀ,ଟେରାସ ଓ ଛାତ ଉପରେ ଚକ୍କର କାଟିବାରେ ଲାଗିଲେ ।
ସ୍ମିତାଙ୍କ ବାପା ଥିଲେ ପକ୍ଷୀ ପ୍ରେମୀ । ସେ ନିଜ ଘରର ବାଲକୋନୀରେ ପକ୍ଷୀଙ୍କ ପାଇଁ ରଖୁଥିଲେ ଦାନା ଓ ପାଣି । ସ୍ମିତା ପିଲାଟି ଦିନରୁ ଏସବୁ ଦେଖି ପକ୍ଷୀଙ୍କୁ ଦେଖି ଆକର୍ଷିତ ହେଲେ । ସେ ବାହା ହୋଇ ନିଜ ଘରକୁ ଆସିବା ପରେ ପକ୍ଷୀଙ୍କ ବସିବା ,ବିଶ୍ରାମ ନେବା ଓ ପସନ୍ଦର ଖାଦ୍ୟକୁ ଗୋଟିଏ ଜାଗାରେ ନିର୍ଭୟରେ ବସି ଖାଇବାର ବ୍ୟବସ୍ଥା କଲେ । ଏବେ ଦୈନିକ ତାଙ୍କର ଘରକୁ ଆସୁଛନ୍ତି ଶୁଆ ସମେତ ଅନ୍ୟାନ୍ୟ ପକ୍ଷୀ । ସ୍ମିତା ମାସକୁ ୫୦ କେଜି ଚାଉଳ ସହିତ ସବୁଜ ଫଳ ,ଚୋପା ,ପତ୍ର ଓ ଫୁଲର ପାଖୁଡା ସେମାନଙ୍କୁ ଦେଉଛନ୍ତି । ବିଶୋଧିତ ପାତ୍ରରେ ଶୁଦ୍ଧ ପେୟ ଜଳର କରିଛନ୍ତି ବ୍ୟବସ୍ଥା । ଘରର ବାଲକୋନିକୁ ପକ୍ଷୀଙ୍କ ପାଇଁ ଅନୁକୂଳ କରିଛନ୍ତି । ନାନା ପ୍ରକାରର ଫୁଲ ଗଛ ରୋପଣ କରି ପକ୍ଷୀଙ୍କ ଘର ଭାବେ ଉତ୍ସର୍ଗ କରି ପାଲଟିଛନ୍ତି ପ୍ରେରଣା ।