କେନ୍ଦୁଝର ଜିଲ୍ଲାର ଜଙ୍ଗଲରେ ପ୍ରତିବର୍ଷ ଲାଗିଯାଏ ନିଆଁ । ଏଥିରେ ଜୀବ ଓ ଉଦ୍ଭିଦଙ୍କ ବିପୁଳ କ୍ଷତି ହୁଏ । ବନ ବାସିନ୍ଦାଙ୍କ ଜୀବିକା ବି ପ୍ରଭାବିତ ହୁଏ । ଜଙ୍ଗଲ ନିଆଁକୁ ପ୍ରଶମିତ ପାଇଁ ବନ ବିଭାଗ ଯୋଜନା କରେ । ହେଲେ ସଫଳ ହୋଇପାରେନି। ଏ ଦିଗରେ ଜଣେ ମହିଳା ଆଗକୁ ଆସିଛନ୍ତି । ସଂକୀର୍ତ୍ତନ ଦଳ ଜରିଆରେ ଆଧ୍ୟାତ୍ମିକ ବିଚାର ସହିତ ଜଙ୍ଗଲ ନିଆଁ ପ୍ରତିହତ ପାଇଁ ସଚେତନ କରୁଛନ୍ତି । ନିଆରା ଉଦ୍ୟମ କରୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟ ଗାଁ ବ୍ଲକ ଅନ୍ତର୍ଗତ ମୁର୍ଗାପାହାଡି ଗାଁର ପ୍ରମିଳା ପ୍ରଧାନ । ପ୍ରମିଳା ନିଜ ଶ୍ଵଶୁରଙ୍କ ପ୍ରେରଣାରେ ସଂକୀର୍ତ୍ତନ ଦଳର ମଙ୍ଗ ଧରିଲେ । ପ୍ରମିଳାଙ୍କ ଶ୍ୱଶୁର ଥିଲେ ସଂକୀର୍ତ୍ତନ ଗାୟକ ଓ ସଂଗଠକ । ତିନି ଦଶକ ତଳେ ସେ ଏକ ସଂକୀର୍ତ୍ତନ ଦଳ ଗଢ଼ିଥିଲେ । କିନ୍ତୁ ତାହା ନିଷ୍କ୍ରିୟ ଓ ସୁପ୍ତ ଥିଲା । ପ୍ରମିଳା ଏହାକୁ ପୁନଃର୍ଜିବିତ କଲେ ଓ ରାଧାକୃଷ୍ଣ ସଂକୀର୍ତ୍ତନ ଦଳର ନେତୃତ୍ୱ ନେଲେ । ଭଜନ ,ଜଣାଣ ସହିତ ବୃକ୍ଷଦେବତାଙ୍କ ବନ୍ଦନା ଗାଇ ସେ ଜଙ୍ଗଲ ନିଆଁ ପ୍ରକୋପରୁ ପାହାଡ଼ ,ଡ଼ଙ୍ଗର,ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଲୋକଙ୍କୁ ନିବେଦନ କରିବାକୁ ଲାଗିଲେ ।
ପ୍ରମିଳା ଓ ତାଙ୍କର ସହଯୋଗୀ ମାନଙ୍କ ଏଭଳି ଉଦ୍ୟମକୁ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ବହୁଳ ପ୍ରସାରିତ ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତରେ ପ୍ରଧାନମନ୍ତ୍ରୀ ପ୍ରମିଳାଙ୍କ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଭାରତର ବିବିଧତାର ସୁନ୍ଦର ଝଲକ ଆମର ଲୋକଗୀତ ଓ ପରମ୍ପରାରେ ମିଳିଥାଏ । ଏବଂ ଆମର ଭଜନ କୀର୍ତ୍ତନ ଏହାର ଏକ ଅଂଶ । ପରିବେଶର ସୁରକ୍ଷା ପାଇଁ ପ୍ରମିଳା ଏକ ସୁନ୍ଦର ମାଧ୍ୟମ ବାଛି ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ।