ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୬ତମ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍'ରେ ସେ ଭାରତୀୟ ନୌସେନାର ଦୁଇ ବୀରମହିଳା ଅଧିକାରୀ -ଲେଫ୍ଟେନାଣ୍ଟ୍ କମାଣ୍ଡର୍ ଦିଲନା କେ ଏବଂ ଲେଫ୍ଟେନାଣ୍ଟ୍ କମାଣ୍ଡର୍ ରୁପା କେ ଙ୍କ ଦୁଃସାହସିକ ଯାତ୍ରାକୁ ସ୍ମରଣ କରି ପ୍ରଶଂସା କରିଥିଲେ । ସେ ସୂଚାଇ ଥିଲେ କି ଏହି ଯାତ୍ରା ହେଉଛି 'ନଭିକା ସାଗର ପରିକ୍ରମା' । ଯାହା ଭାରତୀୟ ନୌସେନାର ଏକ ଐତିହାସିକ ସମୁଦ୍ର ପରିକ୍ରମା । ୨୦୧୭ରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ବୀରାଙ୍ଗନା ମାନଙ୍କର ଶକ୍ତିକୁ ବିଶ୍ବ ଆଗରେ ପ୍ରଦର୍ଶିତ କରିଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତୀୟ ନୌସେନାର ଏହି ଦୁଇ ବୀର ମହିଳା ଅଧିକାରୀ 'ନଭିକା ସାଗର ପରିକ୍ରମା' ସମୟରେ ଅପରିମେୟ ସାହସ ପ୍ରଦର୍ଶନ କରିଛନ୍ତି । ମୁଁ 'ମନ କି ବାତ୍'ର ଶ୍ରୋତାମାନଙ୍କୁ ଏହି ଦୁଇ ବୀରମହିଳାଙ୍କୁ ପରିଚୟ କରାଉଛି।" ଏହା ମହିଳାମାନଙ୍କର ସାମରିକ କ୍ଷେତ୍ରରେ ଅଗ୍ରଗତିର ଏକ ପ୍ରତୀକାତ୍ମକ ଉଦାହରଣ ଭାବେ ଉଲ୍ଲେଖିତ ହୋଇଛି।
ଭାରତୀୟ ନୌସେନା ସମୁଦ୍ର ଯାତ୍ରା ପରମ୍ପରାକୁ ପୁନର୍ଜାଗରଣ କରିବା ପାଇଁ ଏଭଳି ଯାତ୍ରା ଆୟୋଜିତ କରିଥିଲା। ଯାହା ସାମୁଦ୍ରିକ ଐତିହ୍ୟ ସଂରକ୍ଷଣ ଏବଂ ନାବିକ ଦକ୍ଷତା ପ୍ରୋତ୍ସାହନ ଉପରେ ଗୁରୁତ୍ୱ ବହନ କରିଥିଲା । ସେଲ୍ ଟ୍ରେନିଂ ଜାହାଜ ଆଇଏନଏସ୍ ତରଙ୍ଗିନୀ , ଆଇଏନଏସ୍ ସୁଦର୍ଶିନୀ, ଆଇଏନଏସଭି ମହାଦେଈ ଓ ତାରିଣୀରେ ବିଶ୍ୱ ପରିକ୍ରମା ମାଧ୍ୟମରେ, ଭାରତୀୟ ନୌସେନା ସମୁଦ୍ର ଯାତ୍ରା ଅଭିଯାନରେ ମୁଖ୍ୟ ଭୂମିକା ନିର୍ବାହ କରିଛି।
ସାମୁଦ୍ରିକ ଦକ୍ଷତା ଏବଂ ସାହସିକତାର ଉତ୍ସବ ଜାରି ରଖି, ଭାରତୀୟ ନୌସେନାର ଦୁଇ ମହିଳା ଅଫିସର – ଲେଫ୍ଟେନାଣ୍ଟ କମାଣ୍ଡର ରୂପା ଏ ଏବଂ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା କେ ଆଇଏନଏସଭି ତାରିଣୀରେ ନାଭିକା ସାଗର ପରିକ୍ରମା 2 ନାମକ ବିଶ୍ୱ ପରିକ୍ରମାର ଅସାଧାରଣ ଅଭିଯାନ ଆରମ୍ଭ କରିଥିଲେ । ଏହି ଦୁଇ ଅଫିସର ଗତ ତିନି ବର୍ଷ ଧରି ଏହି ଅଭିଯାନ ପାଇଁ ନିଜକୁ ପ୍ରସ୍ତୁତ କରି ସଫଳତାର ଶିଖରରେ ପହଞ୍ଚିଥିଲେ।
ଏହି ଅଫିସରମାନେ ଛଅ ଜଣିଆ କ୍ରୁର ଅଂଶ ହିସାବରେ ଗୋଆରୁ କେପ୍ ଟାଉନ ହେଇ ରିଓ ଡି ଜାନେରୋ ପର୍ଯ୍ୟନ୍ତ ଟ୍ରାନ୍ସ-ଓସିଆନିକ ଅଭିଯାନରେ ସାମିଲ୍ ଥିଲେ। ଏହାପରେ, ଗୋଆରୁ ପୋର୍ଟ ବ୍ଲେୟାର ପର୍ଯ୍ୟନ୍ତ ଏବଂ ପୁନର୍ବାର ଫେରିବାରେ ଦୁଇ-ହାତ ମୋଡରେ ଏକ ସେଲିଂ ଅଭିଯାନ କରିଥିଲେ । ଏହାସହ, ଚଳିତ ବର୍ଷର ଆରମ୍ଭରେ ଏହି ଦୁଇ ଅଫିସର ଗୋଆରୁ ପୋର୍ଟ ଲୁଇସ୍, ମରିସସ ପର୍ଯ୍ୟନ୍ତ ଦୁଇ-ହାତ ମୋଡରେ ଏକ ସଫଳ ସର୍ଟି ସମ୍ପନ୍ନ କରିଥିଲେ ।
ସାଗର ପରିକ୍ରମା ଏକ କଠିନ ଯାତ୍ରା ଥିଲା ,ଯାହା ଅତ୍ୟଧିକ ଦକ୍ଷତା, ଶାରୀରିକ ସୁସ୍ଥତା ଏବଂ ମାନସିକ ସତର୍କତାର ଆବଶ୍ୟକ ରଖୁଥିଲା । ଏହି ଅଫିସରମାନେ କଠୋର ପ୍ରଶିକ୍ଷଣ , ଆଗ୍ରହ ଓ ନିଷ୍ଠା ବଳରେ ହଜାର ହଜାର ମାଇଲର ଅଭିଜ୍ଞତା ଅର୍ଜନ କରିଛନ୍ତି ।
ଆଇଏନଏସଭି ତାରିଣୀର ବିଶ୍ୱ ପରିକ୍ରମା ଭାରତର ସମୁଦ୍ର ଯାତ୍ରା ଉଦ୍ୟୋଗ ଏବଂ ସାମୁଦ୍ରିକ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ବିଶ୍ୱ ସାମୁଦ୍ରିକ କାର୍ଯ୍ୟକଳାପରେ ଦେଶର ବର୍ଦ୍ଧିତ ପ୍ରାଧାନ୍ୟ ଏବଂ ସମୁଦ୍ରରେ ଲିଙ୍ଗ ସମାନତାକୁ ପ୍ରଦର୍ଶନ କରିଛି।ଏହି ଐତିହାସିକ ଘଟଣାର ଗୁରୁତ୍ୱକୁ ସୂଚାଇ, ଭାରତୀୟ ନୌସେନା ଏହି ଅଭିଯାନର ଲୋଗୋ ଉନ୍ମୋଚନ କରିଥିଲା ।
ଏହା ଥିଲା ଭାରତର ପ୍ରଥମ ମହିଳା-ନେତୃତ୍ୱାଧୀନ ସମୁଦ୍ର ପରିକ୍ରମା, ଯାହା ୮ ମାସ ମଧ୍ୟରେ ୨୧,୦୦୦ ନଟିକାଲ୍ ମାଇଲ୍ (ପ୍ରାୟ ୩୮,୯୦୦ କିଲୋମିଟର୍) ଯାତ୍ରା କରି ୨୦୧୮ରେ ସମାପ୍ତ ହୋଇଥିଲା । ଏହା ଯାତ୍ରା ମହିଳାମାନଙ୍କର କ୍ଷମତା ଓ ନିର୍ଭୀକତାର ପ୍ରମାଣ । ଲେଫ୍ଟେନାଣ୍ଟ୍ କମାଣ୍ଡର୍ ଦିଲନା ଏବଂ ରୁପା ଏହାର ମୁଖ୍ୟ ଅଂଶଗ୍ରହଣକାରୀ ଥିଲେ । ଦୁର୍ଗା ପୂଜା ଅବସରରେ ଦେଶରେ ନାରୀ ଶକ୍ତିର ଜୟଜୟକାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ମହିଳା ସେନା ଅଧିକାରୀଙ୍କ ବୀରତ୍ୱର ଅବତାରଣା କରିଛନ୍ତି।