ମହାରାଷ୍ଟ୍ର ପୁନେର ଏକ ପୂତିଗନ୍ଧମୟ ପରିବେଶରେ ତାଙ୍କର କଟିଥିଲା ଶୈଶବ । ଆଖପାଖର ପଡୋଶୀ ଥିଲେ ଅସାଧୁ ବ୍ୟବସାୟରେ ଲିପ୍ତ । ଜୁଆ ,ନିଶା ଓ ଅପରାଧର ବଳୟ ଭିତରେ ବସ୍ତିର ବାସିନ୍ଦା ମାନେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ ଦେଖିବା ବି ଛାଡି ଦେଇଥିଲେ । ଏଭଳି ପରିବେଶରେ ବଢୁଥିବା ତ୍ରିବେଣୀ ଧମଧାରେଙ୍କ ପିତା ମଧ୍ୟ ଚାହୁଁଥିଲେ ଝିଅ ବଡ଼ ହୋଇ ବେଶୀ ପାଠ ପଢିବା ଅପେକ୍ଷା ଶୀଘ୍ର ବାହାହୋଇ ନିଜ ପରିବାର ସମ୍ଭାଳୁ । କିନ୍ତୁ ତ୍ରିବେଣୀ ଥିଲେ ଅଲଗା ସ୍ୱଭାବର ଝିଅ । ସେ ଚାହୁଁଥିଲେ ପାଠ ପଢିବେ ବଡ଼ ଏକ ଚାକିରୀ କରି ପରିବାର ପାଇଁ ଗର୍ବ ଆଣିବେ । ସେ ତାହା ହିଁ କରି ଦେଖାଇଲେ ।
ପ୍ରଥମେ ସେ ପୁନେରେ ଦ୍ୱାଦଶ ଯାଏଁ ପଢିଲେ । ପ୍ରତି ବିଷୟରେ ଭଲ ନମ୍ବର ରଖି ବାଙ୍ଗାଲୋର ଠାରେ ଥିବା ଅଜିମ ପ୍ରେମଜୀ ୟୁନିଭର୍ସିଟିରେ ବୃତ୍ତି ପାଇଁ ନିଜକୁ ଯୋଗ୍ୟ କଲେ ଓ ସେଠାରେ ୩ ବର୍ଷୀୟା ବି ଏସ ସି ପଦାର୍ଥ ବିଜ୍ଞାନ ସହିତ ଡାଟା ସାଇନ୍ସ ବିଷୟରେ ଅଧ୍ୟୟନ କଲେ। ଲିଖନ ଓ ସାକ୍ଷାତକାର ପରୀକ୍ଷାରେ ସର୍ବୋତ୍କୃଷ୍ଟ ନମ୍ବର ରଖିଥିବାରୁ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଟଙ୍କାଟିଏ ବି ଦେବାକୁ ପଡୁନଥିଲା । ବିଏସସି ଉତ୍ତୀର୍ଣ୍ଣ ହେବା ପରେ ସେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସ୍କଲାରସିପ ଆବେଦନ କରିଥିଲେ ।
ଖୁସିର କଥା ମହାରାଷ୍ଟ୍ରର ଏକ ମାତ୍ର ଛାତ୍ରୀ ଭାବେ ସେ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ଯୋଗ୍ୟତା ହାସଲ କରିଛନ୍ତି । ତ୍ରିବେଣୀ କହନ୍ତି ଗତ ଦୁଇବର୍ଷ ତଳୁ ମୋ ବାପାଙ୍କ ମୃତ୍ୟୁ ଘଟିଛି । ମା ମୋ ପାଇଁ ଉଭୟ ଅଭିଵାବକର ଦାୟିତ୍ୱ ନେଇ ମୋତେ ଏତେ ବାଟ ଆଣିଛନ୍ତି । ନିଜର ଲକ୍ଷ ଠିକ କରି ଗଭୀର ଆତ୍ମପ୍ରତ୍ୟୟ ସହିତ ଆଗକୁ ବଢିବା ଦିଗରେ ମୋ ମା ମୋ ପାଇଁ ପ୍ରେରଣା। ଦିନେ ସାହି ପଡୋଶୀ କହୁଥିଲେ ଝିଅ ପିଲାଙ୍କ ପାଠ କଣ ? କିନ୍ତୁ ମୁଁ କହିରଖେ ନାରୀଟିଏ ସେତେବେଳେ ସଶକ୍ତ ହେବ ,ଯେତେବେଳେ ସେ ପାଠ ପଢି ସ୍ୱାଧୀନ ଭାବେ ଜିଇଁ ଶିଖିଵ ।