• Saturday, September 21, 2024

ଫୋବର୍ସ ତାଲିକାରେ ସୁନ୍ଦରଗଡ଼ର ଆଦିବାସୀ ମହିଳା

Subhadra Live:A-tribal-ASHA-worker-from-Odisha-Matilda-Kullu-has-made-it-to-the-Forbes-India

ଫୋବର୍ସ ଇଣ୍ଡିଆ ମହିଳାଶକ୍ତି ୨୦୨୧ର ତାଲିକାରେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ର ଜଣେ ଆଦିବାସୀ ମହିଳା ମାଟିଲଦା କୁଲୁ । ଆମଜାନ ମୁଖ୍ୟ ଅପର୍ଣ୍ଣା ପୁରୋହିତ ଓ ବ୍ୟାଙ୍କ ଅଧିକାରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସହିତ ମାଟିଲଦା କୁଲୁଙ୍କ ନାମ  ଏହି ତାଲିକାରେ ପ୍ରକାଶ ପାଇବା ପରେ ଗୁଗୁଲ ସର୍ଚ୍ଚରେ ସେ କିଏ ବୋଲି ଲୋକେ ଖୋଜିଥିଲେ । ମାଟିଲଦା କୋଟିପତି ବ୍ୟବସାୟୀ ନୁହଁନ୍ତି କି ନୁହଁନ୍ତି ଉଚ୍ଚ ପଦବୀର ଅଧିକାରିଣୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ତହସିଲ ଅନ୍ତର୍ଗତ ଗର୍ଗଦବାହାଲ ଗାଁର ସେ ହେଉଛନ୍ତି ଜଣେ ମାମୁଲି ଆଶାକର୍ମୀ ।

୨୦୦୬ ମସିହାରେ ସେ ଆଶାକର୍ମୀ ଭାବେ ଯୋଗଦେଇଥିଲେ । ଗାଁର ୧୦୦ ପରିବାରରେ ସୀମିତ ଥିଲା ତାଙ୍କ କାର୍ଯ୍ୟ ପରିସର । ଗାଁର ଗର୍ଭବତୀ ମହିଳାଙ୍କ ଦ୍ୱାରକୁ ଦ୍ୱାର ବୁଲି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ,ଓଜନ ଓ ପୁଷ୍ଟିକର ଖାଦ୍ୟ ବାବଦରେ ପରାମର୍ଶ  ସହିତ ଆନୁଷ୍ଠାନିକ ପ୍ରସବ କରାଇବାରେ ସହଯୋଗ କରିବା ଥିଲା ତାଙ୍କର ଦାୟିତ୍ୱ । ଆଦିବାସୀ ସମାଜରେ ଅନ୍ଧବିଶ୍ୱାସର ମାତ୍ରା ଅଧିକ ଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବାକୁ ପଠାଇବା ପାଇଁ ଲୋକେ ସହଜରେ ରାଜି ହେଉନଥିଲେ । କିନ୍ତୁ ମାଟିଲଡା ହରାଇନଥିଲେ ଆଶା । ନିରବଛିନ୍ନ ଭାବେ ଜନସମ୍ପର୍କ କରି ସେ ହୃଦୟ ଜିତିଥିଲେ । ଡାକ୍ତରଖାନାରେ ପ୍ରସବ କରି ସୁସ୍ଥ ଭାବେ ମା ଓ ଛୁଆ ଘରକୁ ଫେରିବା ସଂଖ୍ୟା ଯେତିକି ବଢ଼ିଲା ଆଶାକର୍ମୀ ମାଟିଲଡାଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ସେତେ ବଢ଼ିଲା ।

ପରିବାର ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧି ସାରିବା ପରେ ମାଟିଲଦା କୁଲୁ ପ୍ରତିଦିନ ସକାଳ ସାଢେ ସାତ ବେଳକୁ ଘରୁ ବାହାରି ପଡନ୍ତି । ଗର୍ଭବତୀ ମହିଳାଙ୍କ ପରିବାରକୁ ଗସ୍ତ କରି ସୁବିଧା ଅସୁବିଧା ବୁଝନ୍ତି । ଲୋକଙ୍କ ସେବା ଦିଗରେ ତାଙ୍କର ଏଭଳି ଉଦ୍ୟମକୁ ମିଳିଛି ଆନ୍ତର୍ଜାତୀୟ ସ୍ୱୀକୃତି । ସୁନ୍ଦରଗଡ଼ ଭଳି ଅଳ୍ପ ବିକଶିତ ଆଦିବାସୀ ଗାଁରୁ ପ୍ରତିନିଧିତ୍ବ କରୁଥିବା ମାଟିଲଡା ଫୋବର୍ସ ତାଲିକାରେ ନିଜ ନାଁ ରଖିବା କଦାପି ଛୋଟ ଏକ ଖବର ନୁହଁ ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.