• Saturday, September 21, 2024

ଲାଲୁ ଯାଦବଙ୍କୁ କିଡନୀ ଦାନ କରି ଭାରତୀୟ କନ୍ୟାଙ୍କ ପାଇଁ ନୂଆ ଆଦର୍ଶ ରଚିଲେ ଝିଅ ରୋହିଣୀ

Subhadra Live:Lalus-daughter-set-to-donate-kidney-to-her-Father
ଦିଲ୍ଲୀ : 05/12/2022

ଝିଅଟିଏ ବାହା ହୋଇଯିବା ପରେ ଯେ ବାପା ମାଙ୍କୁ ଭୁଲିଯାଏ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ରାଜନେତା ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଏବେ ସିଙ୍ଗାପୁରର ଏକ ମେଡିକାଲ ବେଡ଼ରେ ଅଛନ୍ତି ଏବଂ ଆଉ କିଛି ସମୟ ପରେ ତାଙ୍କର ଏକ କିଡନୀ ବାହାର କରାଯାଇ ତାଙ୍କର ଅସୁସ୍ଥ ପିତା ଲାଲୁ ଯାଦବଙ୍କ ଶରୀରରେ ପ୍ରତିରୋପଣ କରାଯିବ । ଲାଲୁ ଯାଦବଙ୍କ ଦୁଇ ଦୁଇଟି ପୁଅ ଥିବା ବେଳେ ଝିଅ ରୋହିଣୀ ପିତାଙ୍କୁ  ଜୀବନଦାନ ପାଇଁ ଆଗକୁ ଆସି ନିଆରା ଏକ ମାନବିକତା ସହିତ ସମ୍ପର୍କର ପରିଭାଷାକୁ ନୂଆ ରୂପ ଦେଇଛନ୍ତି । ଯାହାକି ଦେଶର ସବୁ କନ୍ୟା ସନ୍ତାନଙ୍କ ପାଇଁ ଆଦର୍ଶ ହେବାକୁ ଯାଉଛି ।

ଆମ ସମାଜରେ ଝିଅ ଜନମ ପରଘରକୁ କହି ବିବାହିତା କନ୍ୟା ସନ୍ତାନ ସହିତ ଅନେକେ ସମ୍ପର୍କକୁ ସୀମିତ କରୁଥିବା ବେଳେ ଲାଲୁକନ୍ୟା ରୋହିଣୀ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି । ଦୁଇଟି କିଡନୀ ଅଚଳ ପରେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡନୀ ପ୍ରତିରୋପଣ ବିକଳ୍ପ ବୋଲି ଡାକ୍ତରଙ୍କ ପରାମର୍ଶକ୍ରମେ ଅସ୍ତ୍ରୋପଚାର ପାଇଁ ସିଙ୍ଗାପୁରରେ ପହଂଚିଛନ୍ତି । ଆଇନ ଅନୁଯାୟୀ ସମସ୍ତ ଫର୍ମାଲିଟି ପୂରଣହେବା ପରେ ରୋହିଣୀଙ୍କ କିଡନୀ ବାହାର କରାଯାଇ ଲାଲୁ ଯାଦବଙ୍କ ଶରୀରରେ ରୋପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଅସ୍ତ୍ରୋପଚାର ପୂର୍ବରୁ ଶୁଭାକାଂକ୍ଷୀ ମାନଙ୍କ ଆଶୀର୍ବାଦ ଲୋଡିଛନ୍ତି ରୋହିଣୀ । ରୋହିଣୀଙ୍କ ଏଭଳି ଅଙ୍ଗଦାନ ତାଙ୍କ ପିତାଙ୍କ ଜୀବନ ରକ୍ଷା କରିବା ସହିତ ପିତା ପୁତ୍ରୀ ସମ୍ପର୍କକୁ ନୂଆ ଉଚ୍ଚତା ଦେବ । ରୋହିଣୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ରେ କହିଛନ୍ତି ମୁଁ ଭଗବାନଙ୍କୁ ଦେଖିନି କିନ୍ତୁ ପିତାଙ୍କୁ ଭଗବାନ ଭାବେ ଭକ୍ତି କରୁଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.