ବିଶ୍ୱରେ ବଢୁଛି ଜନସଂଖ୍ୟା । ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପାଇଁ ଶସ୍ୟ ଉତ୍ପାଦନ ବୃଦ୍ଧି ଉପରେ ଦିଆଯାଉଛି ଗୁରୁତ୍ୱ । ବିଶ୍ୱର ବିଭିନ୍ନ ଦେଶରେ କୃଷି ଉତ୍ପାଦନ ଅଧିକ ପାଇଁ ଚାଲିଛି ଗବେଷଣା । କିଏ ବିହନର ଗୁଣବତ୍ତାକୁ ନେଇ ସଫଳ ହୋଇଛନ୍ତି ତ କିଏ ମୃତ୍ତିକାର ସ୍ୱାସ୍ଥ୍ୟ ପାଇଁ କରିଛନ୍ତି ଗବେଷଣା । ଏଭଳି ପୃଷ୍ଠଭୂମିରେ ବ୍ରାଜିଲର ୬୭ ବର୍ଷୀୟ ଜଣେ ମହିଳା ଅଣୁଜୀବବିଜ୍ଞାନୀ ମାରିଆଞ୍ଜେଲା ହଙ୍ଗ୍ରିଆଙ୍କୁ ଜୈବିକ ନାଇଟ୍ରୋଜେନ୍ ସ୍ଥିରୀକରଣ ଉପରେ ଅଭିନବ ଗବେଷଣା ପାଇଁ ୨୦୨୫ ମସିହାର ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ପ୍ରାକୃତିକ ପ୍ରକ୍ରିୟା ସାହାଯ୍ୟରେ ମାରିଆଞ୍ଜେଲା ରାସାୟନିକ ସାର ବ୍ୟବହାର ନ କରି ଫସଲ ଉତ୍ପାଦନରେ ସଫଳ ହୋଇଛନ୍ତି । ତାଙ୍କର ଏହି ଗବେଷଣା ବିଶ୍ୱରେ ନିର୍ଦ୍ଧିଷ୍ଟ ଫସଲ ଉତ୍ପାଦନରେ ସହାୟକ ହେବ । ବିନା ରାସାୟନିକ ସାରରେ ଫସଲର ବିକାଶ କିଭଳି ସମ୍ଭବ ତାହା ସେ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ।
ବ୍ରାଜିଲର ଜାତୀୟ ସୋୟାବିନ ଗବେଷଣା କେନ୍ଦ୍ରରେ ପ୍ରଯୁକ୍ତିବିଦ୍ୟା ବିକାଶର ନେତୃତ୍ୱ ନେଇଥିଲେ ମାରିଆଞ୍ଜେଲା । ବିନ୍ସ ,ମକା ,ଗହମ ଓ ଘାସର ଉତ୍ପାଦନ ବୃଦ୍ଧି ଦିଗରେ ବିହନ ଓ ମାଟିରେ ପ୍ରୟୋଗ ହେଉଥିବା ଲାଭଦାୟକ ଜୀବାଣୁ ଥିବା ଉତ୍ପାଦକୁ ଅନ୍ତର୍ଭୁକ୍ତ କରି ସେ ସଫଳତା ହାସଲ କରିଛନ୍ତି । ଉଦ୍ଭିଦ ବୃଦ୍ଧି ପାଇଁ ନାଇଟ୍ରୋଜେନ ପ୍ରମୁଖ । ମାରିଆଞ୍ଜେଲା ପ୍ରାକୃତିକ ଭାବେ ଜୀବାଣୁ ଓ ଅଣୁଜୀବଙ୍କୁ ବ୍ୟବହାର କରି ବାୟୁମଣ୍ଡଳୀୟ ନାଇଟ୍ରୋଜେନ ପ୍ରସ୍ତୁତ କରିଛନ୍ତି । ଫସଲରେ ରାସାୟନିକ ସାର ପ୍ରୟୋଗକୁ କମାଇବା ଦିଗରେ ସେ ଉଚ୍ଚତର ଗବେଷଣା କରି ସଫଳ ହୋଇଛନ୍ତି । ବିଶ୍ୱରେ ଖାଦ୍ୟର ମାନ ,ଗୁଣବତ୍ତା ଓ ଉପଲବ୍ଧିତା ଦିଗରେ ପ୍ରଭାବୀ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ବିଶ୍ୱ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥାଏ । ଏହି ପୁରସ୍କାରକୁ କୃଷିର ନୋବେଲ ବୋଲି ଅଭିହିତ କରାଯାଇଛି । ଜଣେ ମହିଳା ଜୈବ ପ୍ରଯୁକ୍ତି ବିଜ୍ଞାନୀଙ୍କୁ ଏଭଳି ପୁରସ୍କାର ମିଳିବା ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ।