ହରିୟାଣାର ଗିରିଶା ଚୌଧୁରୀଙ୍କ ଜୀବନ ସଂଘର୍ଷରେ ଭରା । ବହୁ ଉତଥାନ ପତ୍ତନ ଦେଇ ଗତି କରିଛି ତାଙ୍କର ଜୀବନ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ସେ ସ୍ଥାନୀୟ ଏକ ଅନାଥାଶ୍ରମକୁ ବୁଲିବାକୁ ଯାଇଥିଲେ । ପିଲାଙ୍କ କାହାଣୀ ଶୁଣି ସେ ଜଣେ ସାମ୍ବାଦିକ ହେବାର ଇଛା ପୋଷଣ କରିଥିଲେ । ପିଲାଙ୍କ ସ୍ୱର ହୋଇ ସେ ସେମାନଙ୍କ କାହାଣୀ ସଭ୍ୟ ସମାଜକୁ ଶୁଣାଇବା ପାଇଁ ରଖିଥିଲେ ଲକ୍ଷ । କିନ୍ତୁ ପରିବାର ପକ୍ଷରୁ ମିଳିନଥିଲା ସହଯୋଗ । ସାମ୍ବାଦିକତା କରିବା ବଦଳରେ ସେ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ବସିଥିଲେ । ଶେଷରେ କମ୍ପ୍ୟୁଟର ସାଇନ୍ସରେ ବି ଟେକ କରିବା ପରେ ଭଲ ପ୍ୟାକେଜ ସହିତ ଏକ କମ୍ପାନୀରେ ଯୋଗ ଦେଇଥିଲେ । କିନ୍ତୁ ସେ ଅନାଥାଶ୍ରମର ସେହି ପିଲାଙ୍କ କଥା ଭାବୁଥିଲେ । କିଭଳି ଭାବରେ ପିଲାଙ୍କୁ ନ୍ୟାୟ ମିଳିପାରିବ ସେ ଦିଗରେ ଚିନ୍ତିତ ଥିଲେ ଗିରିଶା । ଜିଲ୍ଲାପାଳଙ୍କ କ୍ଷମତା ଓ ଦାୟିତ୍ୱ ବୁଝିବା ପରେ ସେ ଜିଲ୍ଲାପାଳ ହେବାର ସ୍ବପ୍ନ ମନରେ ପୋଷଣ କରିଥିଲେ । ପ୍ରଥମ ଥର ୨୦୧୮ରେ ସେ ୟୁପିଏସସି ପରୀକ୍ଷା ଦେଲେ । କିନ୍ତୁ ଭାଗ୍ୟଦେବୀ ତାଙ୍କ ସପକ୍ଷରେ ନଥିଲେ । ଶୋଚନୀୟ ଭାବେ ବିଫଳ ହେଲେ ସେ । କିନ୍ତୁ ବିଫଳତା ତାଙ୍କୁ ପରାଜିତ କରିପାରିନଥିଲା । ଲଗାତାର ଭାବେ ତିନିଥର ବିଫଳ ପରେ ୨୦୨୩ରେ ତାଙ୍କୁ ମିଳିଲା ସଫଳତା ।