ପ୍ରତିଟି ଘରକୁ ସେମାନେ ବାଉଁଶରେ ନିର୍ମିତ ଝୁଡି ଓ ସ୍ୱତନ୍ତ୍ର ଝୋଟ ବ୍ୟାଗ ପ୍ରଦାନ କଲେ । ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା କଲେ । ଆବର୍ଜନା ସଂରକ୍ଷଣ କେନ୍ଦ୍ରରେ ଜୈବିକ ଖତସାର ପ୍ରସ୍ତୁତ କରି କୃଷି ଓ ଉଦ୍ୟାନ କୃଷି ବିଭାଗକୁ ବିକ୍ରି କରି ଖର୍ଚ୍ଚ କରିଥିବା ଅର୍ଥ ଭରଣା କଲେ । ଆକୃତି ଓ ତାଙ୍କର ସହଯୋଗୀ ମହିଳା ,କିଶୋରୀ ଓ ଯୁବତୀ ମାନଙ୍କ ଏକ ଟିମ ନିରନ୍ତର କିଛି ମାସ ଏପରି କରିବା ପରେ ଅରୁଣାଚଳ ପ୍ରଦେଶର ପୂର୍ବାଂଚଳରେ ଥିବା ହିମାଳୟ ପାଦଦେଶର ସଂଗତି ଗାଁ ଶୁନ୍ୟ ଆବର୍ଜନାର ଗାଁ ଭାବେ ସ୍ୱତନ୍ତ୍ର ଆଦର ଓ ସ୍ୱୀକୃତି ପାଇଥିଲା । ବର୍ଜ୍ୟ ସଂଗ୍ରହ ଓ ପରିଚାଳନାର ଏଭଳି ନବସୃଜନ ହିମାଚଳ ପ୍ରଦେଶରେ ଉଦାହରଣ ପାଲଟିଛି ।
ହିମାଚଳ ପ୍ରଦେଶର ପୁର୍ବାଞ୍ଚଳରେ ଥିବା ସଂଗତି ଗାଁ ପର୍ଯ୍ୟଟନ ମାନଚିତ୍ରରେ ରଖିଛି ନିଆରା ଏକ ସ୍ଥାନ । ସୁନ୍ଦର ଗିରି ଶୃଙ୍ଗ ,ଆକାଶକୁ ଛୁଇଁବାକୁ ପ୍ରତିସ୍ପର୍ଦ୍ଧା କରୁଥିବା ବିଶାଳକାୟ ବୃକ୍ଷ ଓ ମେଘର ଘର ପାଲଟିଥିବା ସୁଉଚ୍ଚ ପାହାଡ଼ ଦେଖିବା ପାଇଁ ପ୍ରତିଦିନ ବହିରାଗତ ପର୍ଯ୍ୟଟକଙ୍କ ଭିଡ଼ ଜମେ । ପର୍ଯ୍ୟଟନ ଅର୍ଥନୀତି ଉପରେ ନିର୍ଭର କରୁଥିବା ଏହି ଗାଁ ବର୍ଜ୍ୟ ବସ୍ତୁର ପାହାଡ଼ ଠିଆ କରୁଥିବା ଦେଖି ଆକୃତି ନାମ୍ନୀ ଜଣେ ଯୁବତୀ ଗାଁ ଲୋକ ମାନଙ୍କୁ ଏହାର କୁ ପରିଣାମ ଓ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା ବାବଦରେ ସଚେତନ କରାଇଥିଲେ । ଆକୃତିଙ୍କ ସହିତ ଗାଁ ଓ ଆଖପାଖର କିଛି ଯୁବତୀ ଠିଆହେଲେ । ସମସ୍ତେ ମିଶି ଆରମ୍ଭ କଲେ ସଂଗତି ଗାଁରୁ ବର୍ଜ୍ୟ ସଫେଇ । ଗାଁକୁ ଶୁନ ବର୍ଜ୍ୟର ଗାଁ କରିବା ପାଇଁ ସଂକଳ୍ପ ନେବା ସହିତ ଆରମ୍ଭ କଲେ କାମ । ସ୍ଥାନୀୟ ଏକ ସାମାଜିକ ସଂସ୍ଥା ଓ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆକୃତିଙ୍କ ଟିମକୁ ଯୋଗାଇଦେଲେ ଆନୁସଙ୍ଗିକ ସହାୟତା । ନିରନ୍ତର ବର୍ଷେ କାମ କରିବା ପରେ ସଂଗତି ଗାଁର ବଦଳିଲା ଚିତ୍ର ।