ଔରଙ୍ଗାବାଦର ସଂସ୍କୃତି ସିଂହ ପାଟଣା ବକ୍ସିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକର ବିଜୟିନୀ ହୋଇଛନ୍ତି । ତାଙ୍କର ପିତା ଦିନ ମଜୁରିଆ ହୋଇଥିବା ବେଳେ ମା ହେଉଛନ୍ତି ଗୃହିଣୀ । ଏହା ସତ୍ୱେ ଉଭୟେ ପିତାମାତା ସଂସ୍କୃତିଙ୍କୁ କରି ଆସିଛନ୍ତି ଭରପୁର ସହଯୋଗ । ୩୮ ଜିଲ୍ଲାର ପ୍ରତିନିଧିଙ୍କୁ ନେଇ ଆୟୋଜିତ ଆନ୍ତଃ ଜିଲ୍ଲା ସ୍କୁଲ ସ୍ତରୀୟ ବକ୍ସିଂଗ ପ୍ରତିଯୋଗିତାରେ ନିଜର ସାରଣ ଜିଲ୍ଲାର ପ୍ରତିଦ୍ବନ୍ଦୀଙ୍କୁ ପରାଜିତ କରି ସଂସ୍କୃତି ଯେତେବେଳେ ସ୍ବର୍ଣ୍ଣ ପଦକ ବିଜେତା ଭାବେ ଘୋଷିତ ହେଲେ ସେତେବେଳେ ଦିନ ମଜୁରିଆ ପିତାଙ୍କ ଖୁସି ବହୁ ଗୁଣରେ ବୃଦ୍ଧି ପାଇଥିଲା । ଏବେ ମୁଁ ସ୍ୱପ୍ନର ନିକଟତର ହୋଇଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଅମୀର ଖାନଙ୍କ ଫିଲ୍ମ ଦଙ୍ଗଲ ଆପଣ ମାନେ ଦେଖିଥିବେ । ସେଥିରେ ଝିଅଟିଏ ନିଜ ପିତାଙ୍କ ସ୍ବପ୍ନ ପୁରା କରିବା ପାଇଁ ପୁରା ଗାଁରୁ ଶୁଣିଛି ପରିହାସ । ଲୋକଙ୍କ କହିବା କଥାକୁ ଭୃକ୍ଷେପ ନ କରି ସେ ଲକ୍ଷ ଆଡକୁ ଅଗ୍ରସର ହେଉଛି । ଶେଷରେ ଭଡାଘରୁ ସଂଘର୍ଷ ଆରମ୍ଭ କରି ପହଁଚୁଛି କମନ ୱେଲଥ ଗେମ୍ସରେ । ସେଠାରେ ସ୍ବର୍ଣ୍ଣ ପଦକର ବିଜୟିନୀ ହୋଇ ଜିତୁଛି ପୁରା ଗ୍ରାମବାସୀଙ୍କ ହୃଦୟ । ଠିକ ସେହିପରି ରିଲର ଏହି କାହାଣୀ ବାସ୍ତବ ଜୀବନରେ ସତ୍ୟରେ ପରିଣତ ହୋଇଛି ସଂସ୍କୃତି ସିଂଙ୍କ କ୍ଷେତ୍ରରେ । ୧୭ ବର୍ଷର ସଂସ୍କୃତି ସ୍କୁଲରେ ପଢ଼ନ୍ତି । ଭଲ ପଢିବା ସହିତ ଖେଳରେ ମଧ୍ୟ ରହିଛି ତାଙ୍କର ରୁଚି । ଝିଅ ଆଗକୁ ବଢ଼ୁ ବୋଲି ପିତାମାତା କରିଥାନ୍ତି ସହଯୋଗ । ଝିଅକୁ ଅଧିକ ସ୍ୱାଧୀନତା ଦେବା ଠିକ ନୁହଁ ବୋଲି ଗ୍ରାମବାସୀ ମାନେ ପରିହାସ କରନ୍ତି । କିନ୍ତୁ ସଂସ୍କୃତିର ପିତାମାତା ଲୋକଙ୍କ କଥା କୁ ଗୁରୁତ୍ୱ ନ ଦେଇ ସଂସ୍କୃତିର ଶିକ୍ଷା ଓ କ୍ରୀଡା ପାଇଁ ସହଯୋଗ କରନ୍ତି । ଏବେ ସଂସ୍କୃତି ସ୍ବର୍ଣ୍ଣ ପଦକର ବିଜୟିନୀ ହୋଇ ପୁରା କରିଛନ୍ତି ପିତାଙ୍କ ସ୍ବପ୍ନ ।