ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାର ଏକ ଗାଁ ହେଉଛି ଆକୋଲେ । ଆଦିବାସୀ ବହୁଳ ଏହି ଗାଁର ମହିଳା ହେଉଛନ୍ତି ରହିବାଇ । ଏବେ ରହିବାଇଙ୍କ ବୟସ ହେଉଛି ୭୨ ବର୍ଷ । ପରିଣତ ବୟସରେ ବେଶ ସକ୍ରିୟ ଅଛନ୍ତି ରହିବାଇ । ମହାଦେବ କୋଲି ଆଦିବାସୀ ସମ୍ପ୍ରଦାୟର ଏହି ମହିଳାଙ୍କ ଶୈଶବ ଅତ୍ୟନ୍ତ ଅଭାବ ଭିତରେ ବିତିଛି । ପାଂଚ ଭାଇ ଭଉଣୀଙ୍କୁ ନେଇ ତାଙ୍କର ପିତାମାତା ବଡ଼ କଷ୍ଟରେ ପରିବାର ପ୍ରତିପୋଷଣ କରିଛନ୍ତି । ଗରିବୀ ପାଇଁ ରହିବାଇ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି । ୧୨ ବର୍ଷ ବୟସରେ ସେ ନିଜ ଗାଁର ଜଣେ ଯୁବକ ସୋମାଙ୍କ ସହିତ ବିବାହ କଲେ । ବାହା ହୋଇ ଶାଶୁ ଘରକୁ ଆସି ଦେଖିଲେ ଯେ ପୁରା ପରିବାର କୃଷି ଶ୍ରମିକ ଭାବେ କାମ କରୁଛନ୍ତି । କିଛି ମାସ ପରେ ରହି ବାଇ ମଧ୍ୟ ନିଜକୁ ଚାଷ କାମରେ ନିୟୋଜିତ କଲେ । ସମସ୍ତେ ମିଶି ଚାଷ କାମ କରୁଥିବା ବେଳେ ବିହନକୁ ନେଇ ଚାଷୀଙ୍କ ମନରେ ଥିବା ଅସନ୍ତୋଷ ଶୁଣିଲେ ରହି ବାଇ । ତା ପରଠାରୁ ସେ ଦେଶୀ ବିହନ ସଂଗ୍ରହ ଓ ଚାଷୀଙ୍କୁ ଵିତରିତ କରିବା କାମରେ ଲାଗିଲେ ।
ବିହନ ସଂରକ୍ଷଣ କାମରେ ରହିବାଇ ଙ୍କ ବଡ ଅବଦାନ ଥିବା ଜାଣିବା ପରେ ଭାରତ ସରକାର ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଲେ । ସମ୍ପ୍ରତି ସେ ୧୦୦ ପ୍ରକାରର ଧାନ ଓ ଅନ୍ୟାନ୍ୟ ଶଷ୍ୟର ବିହନ ସାଇତି ରଖିବା ସହିତ ନିଜ ଅଂଚଳରେ ବିହନ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି । ସ୍ବଦେଶୀ ବିହନର ସଂରକ୍ଷଣ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ନେଇଥିବାରୁ ବିବିସି ମିଡ଼ିଆ ପକ୍ଷରୁ ତାଙ୍କୁ ଟପ ହଣ୍ଡ୍ରେଡ଼ ମଦର୍ସ ଅଫ ସିଡ୍ସ ସୂଚୀରେ ସ୍ଥାନ ପ୍ରଦାନ ସହିତ ସମ୍ମାନିତ କରାଯାଇଛି ।