ନୂଆ କିଛି କରିବାର ନିଜର ଆଗ୍ରହ ଓ କଠିନ ପରିଶ୍ରମ ବଳରେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ଜଣେ ଗୃହିଣୀ । ଏହି ଗୃହିଣୀ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ଝୁରିମାଲ ଗ୍ରାମର ରେଖା ନାଏକ । ଝୁରୀମାଲ ଗାଁର ଏକ ମଧ୍ୟବିତ୍ତ ପରିବାରରେ ରେଖାଙ୍କ ଘର । ରେଖା ନିଜର ଉଦ୍ୟମ ବଳରେ ସ୍ବାବଲମ୍ବୀ ହୋଇପାରିଛନ୍ତି । ରେଖାଙ୍କ ପରିବାର କହିଲେ ଶାଶୁ ,ଶ୍ୱଶୁର ,ସ୍ୱାମୀ ସୁବ୍ରତ ଓ ଏକମାତ୍ର ଝିଅ ପ୍ରାଚୀ । ପାଂଚ ଜଣିଆ ଏହି ପରିବାର ନିକଟରେ ବେଶୀ କିଛି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି ନାହିଁ । ପିଲାଟି ଦିନରୁ ରେଖା ଦେଖି ଆସିଛି ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ବପ୍ନ । ଏହି ସ୍ବପ୍ନ ରେଖାଙ୍କୁ ଆଜି ସ୍ବାବଲମ୍ବୀ ମହିଳା ଭାବେ ଗଢି ତୋଳିଛି । ଏକ ଆଦର୍ଶ ଗୃହିଣୀ ହେବା ସହିତ ପରିବାରର ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ପାଇଁ ଅଂଟା ଭିଡିଛନ୍ତି ରେଖା । ରେଖାଙ୍କ ନିଷ୍ଠା ଓ ଉଦ୍ୟମକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨। ଏହି ପ୍ରକଳ୍ପ ମାଧ୍ୟମରେ ଝୁରିମାଲ ବନ ସୁରକ୍ଷା ସମିତିର ସହଯୋଗରେ ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ରେଖା। ସାମାଜିକ ଅନୁଷ୍ଠାନ ସେବକ ତଥା ଓଡ଼ିଶା ଜୀବିକା ମିଶନର ସହାୟତାରେ ୨୦୧୭ ମସିହାରେ ରେଖା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଏକ ସକ୍ରିୟ ସଭ୍ୟାର ଭୂମିକା ନିର୍ବାହ କରୁଛନ୍ତି । ବିଗତ ତିନି ବର୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକର ସହଯୋଗରେ ଜିଆଖତ ଚାଷ, ଆୟ ଭିତ୍ତିକ କାର୍ଯ୍ୟକ୍ରମ, ବିକଳ୍ପ କୃଷି ବ୍ୟବସ୍ଥା, ପନିପରିବା ଚାଷ ଉପରେ ପ୍ରଶିକ୍ଷଣ ଲାଭ କରିଛନ୍ତି ରେଖା। ୨୦୧୮ରେ ଓଡ଼ିଶା ଜୀବିକା ମିଶନ ତରଫରୁ ୩୦୦୦୦ ଟଙ୍କା ଋଣ ନେଇ ଏକ ଛୋଟ ତେଜରାଜି ଦୋକାନ ଆରମ୍ଭ କରିଛନ୍ତି ଓ ଏଥିରୁ ମାସିକ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି ରେଖା। ଏହା ସଙ୍ଗେ ସଙ୍ଗେ ନିଜ ଘରବାରିର ୦.୬୫ ଏକର ଜମିରେ ଆଳୁ, ପିଆଜ, କୋବି, ମଟର, ଗୁଆଁର, ମୂଳା, ସୋରିଷ, ମକା, ଭେଣ୍ଡି, କାକୁଡି, ଝୁଡଙ୍ଗ ଓ ବିଲାତି ଚାଷ କରି ନିଜ ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ୭୫୦୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଲାଭ ପାଇପାରୁଛନ୍ତି। ।
କାର୍ପେଟ ବୁଣି ସ୍ୱାବଲମ୍ବୀ ଆଦିବାସୀ ମହିଳା