ଭଙ୍ଗା ଦଦରା ଘରେ ଗଢ଼ା ଚାଲିଛି ସ୍ବପ୍ନ । ସ୍ୱପ୍ନରେ ଡେ଼ଣା ଯୋଡି ଆକାଶରେ ଉଡିବାକୁ ମନ କରିଛନ୍ତି ଉପାନ୍ତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଂଚଳର ଦୁଇ ଭଉଣୀ ସସ୍ମିତା ଆଉ ଅନିତା । ପିଲାଟି ଦିନରୁ ଅଭିନୟ ଓ ସଂଗୀତ ପ୍ରତି ରୁଚି ରଖିଥିବା ଏହି ଦୁଇ ଭଉଣୀଙ୍କ ପାଇଁ ଅଭାବ ସାଜିଛି ବାଧକ । କାନ୍ଧ ଉପରେ ପରିବାରର ଜଂଜାଳ ସତ୍ୱେ ହୃଦୟରେ ବଂଚି ରହିଛି ଅଭିନୟ ଓ ସଂଗୀତ ପ୍ରତି ଆକର୍ଷଣ । କେବେ କାମ କରିବା ଭିତରେ ଉଭୟେ ଗୁଣୁ ଗୁଣୁ ହୋଇ ଗୀତକୁ ଆବୃତ୍ତି କରୁଛନ୍ତି ତ କେବେ ନିଜ ପିଲାଙ୍କୁ ଶିକ୍ଷା ଦେବା ଆଳରେ ପ୍ରଦର୍ଶିତ କରୁଛନ୍ତି ଅଭିନୟ ଓ ସଂଗୀତ ପ୍ରତି ଥିବା ଦୁର୍ବଳତା । କେବଳ ଏତିକିରେ ସୀମିତ ରହି ଯାଇନାହାନ୍ତି ଅନିତା ପ୍ରଧାନ ଓ ସସ୍ମିତା ପ୍ରଧାନ । ଅଭାବୀ ଘରର ଦୁଆର ବନ୍ଧ ଅତିକ୍ରମ କରି ପହଁଚିଛନ୍ତି ମଂଚ ଓ ସ୍ଟୁଡ଼ିଓରେ । ହିନ୍ଦୀ ଓ ଦେଶୀୟା ଭାଷାରେ ଗୀତ ଗାଇ ଛୁଇଁଛନ୍ତି ହୃଦୟ । ଭିଡିଓ ଆଲବମ କରୁ କରୁ ଓଡ଼ିଆ ରିୟଲିଟି ସୋରେ ଦେଖାଇଛନ୍ତି ଦକ୍ଷତାର ପରିଚୟ । ବ୍ଲକ,ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ ଅନୁଷ୍ଠାନରେ ନୃତ୍ୟ ,ଅଭିନୟ ଓ ଗୀତ ଗାଇ ହାସଲ କରିଛନ୍ତି ବହୁ ପଦକ ସାଙ୍ଗକୁ ପ୍ରଶସ୍ତି ପତ୍ର । ସୁଯୋଗ ମିଳିଲେ ଆଗକୁ ଯାଇ ନାଁ କମାଇ ପାରିବୁ ବୋଲି କହନ୍ତି କଳାକାର ଏହି ଦୁଇ ଭଉଣୀ ।
ପେଟ ପାଟଣା ପାଇଁ ସିଲେଇକୁ ମାଧ୍ୟମ କରିଛନ୍ତି ଅନିତା ଓ ତାଙ୍କ ବଡ଼ ଭଉଣୀ ସସ୍ମିତା । ସସ୍ମିତା ବିବାହ ସତ୍ୱେ ନିଜ ସାନ ଭଉଣୀଙ୍କ ସହ ମିଶି କୋଷାଗୁମୁଡା ବ୍ଲକ ଜାହାଜ ଭଟ୍ଟା ଗାଁର ଏକ ଭଡାଘରେ ନିର୍ବାହ କରୁଛନ୍ତି ବୃତ୍ତି । ଦୁଇଟି ସିଲେଇ ମେସିନ ଚଳାଇ ଯେଉଁ ଆୟ କରୁଛନ୍ତି ସେଥିରେ ପୋଷା ହେଉଛି ଦୁଇଟି ପରିବାର । ଅସୁସ୍ଥ ଶ୍ଵଶୁରଙ୍କ ଚିକିତ୍ସା ଦାୟିତ୍ୱ ମଧ୍ୟ ରହିଛି ସସ୍ମିତାଙ୍କ କାନ୍ଧରେ । ଅନିତାଙ୍କ କାନ୍ଧରେ ରହିଛି ମା ଙ୍କୁ ଘର କାମରେ ସହଯୋଗ କରିବା ସହିତ ରୋଜଗାର କରିବାର ଦାୟ । ଏତେ ସବୁ ସଂଘର୍ଷ ପରେ ସ୍ବପ୍ନ ପାଇଁ ସମୟ ବାହାର କରିବାରେ ଅନିତା ଓ ସସ୍ମିତା କରି ନାହାନ୍ତି ହେଳା । ସଂଗୀତ ଶିକ୍ଷା ପାଇଁ ପାଖରେ ଅର୍ଥ ,ସମୟ ଓ ଅନୁଷ୍ଠାନ ନଥିବାରୁ ୟୁଟ୍ୟୁବକୁ ଗୁରୁ କରି ଶିଖିଛନ୍ତି ସ୍ୱର ,ଲୟ ଓ ତାଳର କୌଶଳ । ଆବଶ୍ୟକୀୟ ସହଯୋଗ ମିଳିଲେ ଗାଁର ଏହି ବଣମଲ୍ଲୀ ମାନେ ଆଗକୁ ଯାଇପାରନ୍ତେ।