ମହାନଦୀର ଭୁଆସୁଣୀ ପଠା ସୁରକ୍ଷା ପାଇଁ ସେ ହୋଇଛନ୍ତି ସମର୍ପିତ । ସ୍କୁଲ ଯିବା ବୟସରୁ ପରିବେଶ ସୁରକ୍ଷା ଭାବନା ତାଙ୍କୁ ଅନନ୍ୟ କରି ଗଢ଼ିଛି । ଏକାଦଶ ଶ୍ରେଣୀରେ ପଢ଼ୁଥିବା କଟକର ଝିଅ ରିଦ୍ଧିମା ମିଶ୍ର ନିଜ ପରିବେଶ ପ୍ରେମୀ ପିତାଙ୍କ ପ୍ରେରଣାରେ ନଦୀ ,ପାହାଡ଼ ,ଜଙ୍ଗଲ ,ଜୀବଜନ୍ତୁ ଓ ପରିଚ୍ଛନ୍ନତା ପ୍ରତି ଆକର୍ଷିତ ହୋଇ ନିଜକୁ ସେ ଦିଗରେ ନିୟୋଜିତ କରିଛନ୍ତି । ପିତାଙ୍କ ସହିତ ମହାନଦୀର ଭୁଆଁଶୁଣୀ ମନ୍ଦିର ସନ୍ନିକଟ ପଠାକୁ ବୁଲି ଆସୁଥିବା ବେଳେ ନଦୀର ସୁନ୍ଦରତା ତାଙ୍କୁ ଯେତିକି ଆକର୍ଷିତ କରୁଥିଲା ପଠାରେ ଜମିଥିବା ଆବର୍ଜନା ତାଙ୍କୁ ସେତିକି ବ୍ୟଥିତ କରୁଥିଲା । ବୁଲିବା ସମୟ ଭିତରେ ସେ ଆଖପାଖର ଆବର୍ଜନା ଉଠାଇ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଜମା କରିବାକୁ ଲାଗିଲେ । କ୍ରମଶଃ ଏହା ତାଙ୍କର ରୁଟିନ ୱାର୍କ ପାଲଟିଗଲା । ନବମ ଶ୍ରେଣୀ ପଢ଼ୁଥିବା ସେଦିନର ରିଦ୍ଧିମା ଆଜି ଏକାଦଶ ଶ୍ରେଣୀକୁ ଗଲେଣି କିନ୍ତୁ ଶେଷ ହୋଇନି ତାଙ୍କର ପରିବେଶ ପରିଷ୍କାର ଭାବନା । ଏଭଳି କାମର ସ୍ମୃତି ଚାରଣ କରି ରିଦ୍ଧିମା କହନ୍ତି ଭୁଆଁଶୁଣୀ ମନ୍ଦିର ନିକଟରେ ମହାନଦୀର ପଠା ଦିନକ ଭିତରେ ଏକାଧିକ ଥର ମନୋରମ ଲାଗେ ।ସକାଳେ ,ସଂଜରେ ଓ ଅପରାହ୍ନରେ ତାର ରୂପ ବଦଳେ । କିନ୍ତୁ ଦୁଃଖ ଲାଗେ ଯେ ସହରର ଏହି ସ୍ଥାନଟି ସୁନ୍ଦର ହୋଇଥିବା ସତ୍ୱେ ବଣଭୋଜି ଋତୁରେ ଏହା ପ୍ଲାଷ୍ଟିକ ମୁଣାର ପାହାଡ଼ ପାଲଟେ । ବେଳେ ବେଳେ ସେଥିରେ ନିଆଁ ଲାଗିଯାଇ ବିପଦସଂଙ୍କୁଳ ଧୁଆଁ ସୃଷ୍ଟି ହୁଏ ।ଏହାକୁ ଦେଖି କିଭଳି ଏହି ପଠାକୁ ସୁନ୍ଦର ଓ ପରିଚ୍ଛନ୍ନ କରାଯିବ ସେ କାମରେ ଲାଗିଛି । ଏକା ଏକା କରୁଥିଲି ଏବେ ଏଥିରେ ଅନେକ ଚିହ୍ନା ଅଚିହ୍ନା ଲୋକ ଯୋଡି ହେଲେଣି ।