ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ଗୌରବ ଆଣିଛନ୍ତି ଶୁଭାବତୀ । ଶୁଭାବତୀ ୩୯ ବର୍ଷ ତଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମାମୁଲି ସ୍ୱାସ୍ଥ୍ୟ ସହାୟକରୁ ଯାତ୍ରା ଆରମ୍ଭ କରି ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ମର୍ଯ୍ୟାଦାଜନକ ଫ୍ଲୋରେନ୍ସ ନାଇଟୀଏଙ୍ଗଲ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ଗୁଣ୍ଠୁର ଜିଲ୍ଲା ସଙ୍ଗମ ଜଗଲଗୁଡ଼ି ଗାଁର ବାସିନ୍ଦା ଶୁଭାବତୀ ନନ୍ଦେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସହାୟକ ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ । କିନ୍ତୁ ସେ ଆରମ୍ଭରୁ ଏହାକୁ ଚାକିରୀ ନୁହଁ ବରଂ ମାନବ ସେବା ଭାବେ ସଂକଳ୍ପ ନେଇଥିଲେ ।ଚାକିରୀ କରିବାର ୧୨ ବର୍ଷ ପରେ ତାଙ୍କୁ ମିଳିଥିଲା ପ୍ରମୋସନ । ଡେପୁଟି ଡିଷ୍ଟ୍ରିକ୍ତ ଏକ୍ସଟେନସନ ଆଣ୍ଡ ମିଡ଼ିଆ ଅଫିସର ଭାବେ ନେଲୋର ଜିଲ୍ଲାକୁ ହୋଇଥିଲା ବଦଳି । ପରେ ହେଲଥ ଏଜୁକେସନ ଏକ୍ସଟେନସନ ଅଫିସର ଭାବେ ମିଳିଥିଲା ପ୍ରମୋସନ । ଏସବୁ ଦାୟିତ୍ୱ ତାଙ୍କୁ ଲୋକଙ୍କ ନିକଟତର କରାଇଥିଲା । ବାଲ୍ୟ ବିବାହ ,ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ,ଗର୍ଭବତୀ ମହିଳାଙ୍କ ଯତ୍ନ ,ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତାକୁ ନେଇ ସେ ଲୋକଙ୍କୁ ସଚେତିତ କରୁଥିଲେ । ସାଂସ୍କୃତିକ ମାଧ୍ୟମକୁ ବ୍ୟବହାର କରି ଅଗଣତି ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି ଶୁଭାବତୀ ।
ବାଲ୍ୟ ବିବାହ ବିରୁଦ୍ଧରେ ସେ ଗାଁ ଗାଁରେ କିଶୋରୀ କ୍ଳବ ଗଢିବା ସହିତ କଣ୍ଢେଇ ନାଚ ମାଧ୍ୟମରେ ଗୋଷ୍ଟିର ମୁରବି ମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ନାଚ ,ଗୀତ ,ପବ୍ଲିକ ରେଡ଼ିଓ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ତାଙ୍କର ଅବଦାନ ପାଇଁ ମହାମହିମ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଥିଲେ ।