• Saturday, September 21, 2024

ଚାନ୍ଦୁଆ ଶିଳ୍ପୀରୁ ବଡ଼ ଉଦ୍ୟୋଗୀ

Subhadra Live:From-small-Chandua-business-owner--to-a-big-Entrepreneur

 ସାଧାରଣ ଗୃହିଣୀରୁ ମାନସୀ ପୃଷ୍ଟି ପାଲଟିଛନ୍ତି ସଫଳ ଉଦ୍ୟୋଗୀ । ଚାନ୍ଦୁଆ ତିଆରି କରୁ କରୁ ପାଲଟିଯାଇଛନ୍ତି ଝୋଟ ଉତ୍ପାଦର କୁଶଳୀ କାରିଗର । ୧୦ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ । ଏବେ ପୁରୀ ଜିଲ୍ଲା କୋଣାର୍କ ନିକଟରେ ରହିଛି ତାଙ୍କର ଓଁ ଗାୟତ୍ରୀ ଝୋଟ କ୍ଲଷ୍ଟର ,ଯେଉଁଠୁ ସେ ଆୟ କରୁଛନ୍ତି ବାର୍ଷିକ ଏକ କୋଟି ଟଙ୍କା । ମାନସୀ ପିଲାଦିନୁ ନିଜ ମା’ ଙ୍କଠାରୁ ଶିଖି ଚାନ୍ଦୁଆ କାମ କରୁଥିଲେ । ପରେ ଆଉ କିଛି ନୂଆ କଥା କରିବାର ଇଛା ତାଙ୍କୁ ଅନ୍ୟ ଏକ ହସ୍ତକଳା ଆଡ଼କୁ ନେଇଗଲା । ଏହା ବ୍ୟତୀତ ମହିଳାମାନେ କିପରି ସେହି କାମରେ ନିୟୋଜିତ ରହି ସ୍ବାବଲମ୍ବୀ ହୋଇପାରିବେ ଏବଂ ଅର୍ଥ ରୋଜଗାର କରିପାରିବେ ସେକଥା ମଧ୍ୟ ସେ ଚିନ୍ତାକଲେ । ଆରମ୍ଭ କଲେ ଝୋଟର ଏକ ହସ୍ତକଳା ଉଦ୍ୟୋଗ । ନାଁ ଦେଲେ ଗାୟତ୍ରୀ ଝୋଟ କ୍ଲଷ୍ଟର ।  ଏଥିରେ ଏବେ ୩୦ ରୁ ଅଧିକ ମହିଳା ନିୟୋଜିତ ହୋଇ ବେଶ ଭଲ ରୋଜଗାର କରୁଛନ୍ତି  । ଜଣେ ଜଣେ ମହିଳା ଏହି ୟୁନିଟରେ କାମ କରି ମାସିକ ୩୦ ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।

ମାନସୀଙ୍କ ଉତ୍ପାଦନ ୟୁନିଟରେ  ଅଳ୍ପ କିଛି ପୁରୁଷ କର୍ମଚାରୀ ଥିବାବେଳେ ଅଧିକାଂଶ ହେଉନ୍ତି ମହିଳା କର୍ମଚାରୀ । ବିଭିନ୍ନ ପ୍ରକାର ଉତ୍ପାଦର ଡିଜାଇନ୍ ସେ ନିଜେ କରୁଥିବା ବେଳେ ଅନ୍ୟମାନେ ବାକି ସବୁ କାମ ବାଣ୍ଟି ନେଇଥାନ୍ତି । ଦୈନିକ କାମ ଚାଲୁଥିବା ବେଳେ ବିଶେଷ କାମର ଅର୍ଡ଼ର ଥିଲେ ଅଧିକ ସମୟ ସେଥିପାଇଁ ଦେବାକୁ ପଡ଼ିଥାଏ ଏବଂ ଅଧିକ ପ୍ରାପ୍ୟ ମଧ୍ୟ ମିଳିଥାଏ । ପ୍ରାୟ ୫ ଶହରୁ ଅଧିକ ମହିଳା ତାଙ୍କ ପାଖରୁ ତାଲିମ ନେଇ ସାରିଛନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି ମାନସୀଙ୍କର ଏହି ଝୋଟ ହସ୍ତକଳା ଶିଳ୍ପ । ଏବେ ଏହି ୟୁନିଟରୁ ବାର୍ଷିକ ଏକ କୋଟିରୁ ଅଧିକ କାରବାର ହେଉଛି । ଆଗକୁ ଏହି ଝୋଟ ହସ୍ତଶିଳ୍ପକୁ ନେଇ ମାନସୀ ଅନେକ ସ୍ବପ୍ନ ଦେଖିଛନ୍ତି ଏବଂ ସେଥିପାଇଁ ଯୋଜନା ମଧ୍ୟ କରି ସାରିଛନ୍ତି । ତାଙ୍କ ଯୋଜନା ସାକାର ହେଲେ ଏ କ୍ଷେତ୍ରରେ ଆହୁରି ନୂଆ ନୂଆ ଉତ୍ପାଦ ବଜାରକୁ ଆସିବ, ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.