କେରଳର ଦୁଇ ଭଉଣୀଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ଉଭୟଙ୍କୁ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ସତ୍ୱେ ସେମାନେ ବିଶ୍ରାମ ନ ଲୋଡି ଗୋଟିଏ ପରେ ଗୋଟିଏ ଦେଶକୁ ଭ୍ରମଣ କରି ଖବରର ଶିରୋନାମା ପାଲଟିଛନ୍ତି । ବତ୍ସଳା ମେନନଙ୍କ ବୟସ ୮୬ ବର୍ଷ ହୋଇଥିବା ବେଳେ ରମାଣିଙ୍କ ବୟସ ୮୪ ବର୍ଷ । କେରଳର ତ୍ରିଶୁରରେ ରହନ୍ତି ଏହି ଦୁଇ ଭଉଣୀ । ୮୦ ଦଶକରେ ଏହି ଦୁଇ ଭଉଣୀ ସେମାନଙ୍କ ସ୍ୱାମୀଙ୍କୁ ହରାଇବା ପରେ ନିସଙ୍ଗ ଜୀବନକୁ ଅତିବାହିତ କରିବା ପାଇଁ ଆଧ୍ୟାତ୍ମିକ ପ୍ରବୋଧନ ସଙ୍ଗମ ନାମକ ଏକ ଧର୍ମୀୟ ସଂଗଠନ ସହିତ ଯୋଡି ହୋଇ ଭାରତର ବିଭିନ୍ନ ଧାର୍ମିକ ସ୍ଥଲ ପରିଭ୍ରମଣ କରିଥିଲେ । ଏହା ସେମାନଙ୍କ ନିଃସଙ୍ଗତା ଦୂର କରିବା ସହିତ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିଥିଲା । ନୂଆନୂଆ ଜାଗାକୁ ବୁଲିବା ପାଇଁ ଆଗ୍ରହ ସୃଷ୍ଟି ହେବା ପରେ ସେମାନେ ଦେଶ ବାହାରକୁ ଯିବାର ଯୋଜନା କଲେ ।
ଯେଉଁ ବୟସରେ ଜଣେ ବିଶ୍ରାମ ଲୋଡ଼େ ଓ ଶାନ୍ତ ମନରେ କିଛି ଭାବିବାକୁ ଭଲ ପାଏ ,ସେହି ବୟସରେ ଏହି ଦୁଇ ଭଉଣୀ ନୂଆନୂଆ ଜାଗା ବୁଲି ନୂଆ ବିଷୟ ଜାଣିବାର ଆଗ୍ରହ ପ୍ରକାଶ କଲେ । ଉଭୟ ପରିବାରର ଝିଅ ଓ ନାତି ନାତୁଣୀ ମାନେ ଏମାନଙ୍କୁ ସବୁ ପ୍ରକାର ଆର୍ଥିକ ଓ ମାନସିକ ସହଯୋଗ କରିବା ପରେ ଏମାନେ ମାସେ ଭିତରେ ୟୁରୋପର ୮ଟି ଦେଶ ବୁଲିବା ପାଇଁ ଯୋଜନା କଲେ । ପରିବାରର ସ୍ନେହଶ୍ରଦ୍ଧା ସାଙ୍ଗକୁ ଯତ୍ନର ସହିତ ଟ୍ରାଭେଲ ପ୍ଲାନ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଥିଲା । ଉଭୟେ ୮୦ ବର୍ଷରୁ ଅଧିକ ବୟସରେ ଏକାଠି ୨୦ଟି ଦେଶ ବୁଲି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।