ଲାଲ ହିଂସା ପାଇଁ ପରିଚିତ ମାଲକାନଗିରିରେ ଏବେ ଏବେ ଦେଖିବାକୁ ମିଳୁଛି ଅନେକ ରୂପାନ୍ତରିତ ଦୃଶ୍ୟ । ମାଓ ହିଂସା ସହିତ ଜଡିତ ଏକ ଦମ୍ପତ୍ତି ବନ୍ଧୁକ ସମର୍ପିତ କରି ଚାଷ ଜମିରୁ ଫଳାଉଛନ୍ତି ସୁନା । ଏହି ଦମ୍ପତି ହେଉଛନ୍ତି ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଟେକଗୁଡା କଲୋନୀର ବୁଡ୍ରା କାବାସୀ ଓ ତାଙ୍କ ପତ୍ନୀ କନି କବାସୀ । ଟେକଗୁଡା କଲୋନୀର ବାସିନ୍ଦା ଵୁଡ୍ରା ସିପିଆଇ ମାଓବାଦୀ ଦଳରେ ଯୋଗଦିଅନ୍ତି । ପରେ ଛତିଶଗଡ଼ କ୍ୟାଡରର ଛାମୁଆ ନେତା ହିଦମାର ପାଖଲୋକ ଭାବେ କାମ କରିବାର ମିଳେ ସୁଯୋଗ । ଛତିଶଗଡ଼ ,ଓଡିଶା ଓ ଆନ୍ଧ୍ରପ୍ରଦେଶର ଜଙ୍ଗଲ ଗୁଡିକରେ ଗରିଲା ଆକ୍ରମଣର ଅଭିଜ୍ଞ ବୁଡ୍ରା କାବାସୀ ସକ୍ରିୟ ମାଓବାଦୀ କ୍ୟାଡର ଭାବେ ଦାୟିତ୍ୱ ନିର୍ବାହ କରୁଥିଲା । ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ।
ସମାନ କାହାଣୀ ହେଉଛି ପିଡିକେଣ୍ଡା ଗାଁର କନି କବାସୀଙ୍କର । ୨୦୦୦ ମସିହାରେ ସେ ମାଓବାଦୀ ଉଗ୍ରପନ୍ଥୀଙ୍କ ପ୍ରଭାବରେ ଆସିଲେ । କିଛି ମାସର ସହାୟକ କାର୍ଯ୍ୟ ଓ ତାଲିମ ପରେ ତାଙ୍କୁ ଏରିଆ କମିଟିରେ ମିଳିଲା ସଦସ୍ୟତା । ହାତରେ ଇନସାସ ,ଏସ ଏଲ ଆର ଧରି ସେ ପୋଲିସ ଓ ସାହୁକାରକୁ ସାମ୍ନା କରୁଥିଲେ । ଵୁଡ୍ରା ଓ କନି ପରସ୍ପରର ପ୍ରେମରେ ପଡିଯାଇଥିଲେ । ଉଭୟେ ବିବାହ କରି ଦାମ୍ପତ୍ୟ ଜୀବନ ଜିଇଁବାର ଅଭିଳାଷ ପୋଷଣ କରିବା ପରେ ମାଓ ସଂଗଠନ ସେମାନଙ୍କୁ ବନ୍ଧ୍ୟାକରଣ ପାଇଁ ରଖିଥିଲା ସର୍ତ୍ତ । କିନ୍ତୁ ମା ର ହୃଦୟ ନେଇ ସନ୍ତାନ ପାଳିବାକୁ ବ୍ୟାକୁଳ ଥିବା କନି ଏହି ପ୍ରସ୍ତାବକୁ ଅସ୍ବୀକାର କରିବା ପରେ ଦଳର ଆସ୍ଥା ସେମାନଙ୍କ ଉପରୁ ହ୍ରାସ ପାଇଥିଲା । ଶେଷରେ ସେମାନେ ନିଷ୍ପତ୍ତି ନେଲେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ । ତାହା ହିଁ ହେଲା । ଏବେ ଉଭୟେ ଚାଷ କରିବା ସହିତ ଚାଷୀଙ୍କୁ ସରକାରୀ ଯୋଜନା ବାବଦରେ ସଚେତନ କରୁଛନ୍ତି । ଭୟ,ରାଗ ,ଉତ୍ତେଜନା ଓ ରକ୍ତପାତ ବଦଳରେ ଏବେ ସେମାନେ ଶାନ୍ତିର ସହିତ କାଟୁଛନ୍ତି ସୁନାର ଫସଲ ।