୨୦୧୭ ମସିହାର କଥା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ଜଣେ ମହିଳା ଯୁବ ଆଇଏଏସ ସୋନିଆ ମୀନା କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ ଏକ ବାଲି ବୋଝେଇ ଗାଡି ଦେଖି ଅଟକାଇଥିଲେ । ଏହା ଥିଲା କୁଖ୍ୟାତ ଅପରାଧୀ ତଥା ବାଲି ମାଫିଆ ଅର୍ଜୁନ ସିଂହଙ୍କ ଗାଡି । ଖବର ପାଇ ପାଖରେ ଥିବା ଅର୍ଜୁନ ସିଂ ଗାଡି ନିକଟକୁ ଆସିଲା । ଅର୍ଜୁନ ସିଂ ବୋଲି ପରିଚୟ ଦେଇ ଗାଡି ଛାଡି ଦେବାକୁ ନାଲି ଆଖି ଦେଖାଇଲା । ଛତରପୁର ଜିଲ୍ଲାର ଏ ଡି ଏମ ଥିବା ସୋନିଆ ମିନା କ୍ରିମିନାଲ ଅର୍ଜୁନ ସିଂହର ନାଲି ଆଖିକୁ ଖାତିର କରିନଥିଲେ । ଯୁକ୍ତିତର୍କ ,ଉଚ୍ଚବାଚ୍ଚ ଓ କଥା କଟାକଟିରୁ କଥା ଆଗକୁ ବଢ଼ିଲା । ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅର୍ଜୁନ ସିଂହ ସୁରକ୍ଷା କର୍ମୀଙ୍କୁ ଠେଲାପେଲା କରିବା ସହିତ ବନ୍ଧୁକ ଉଠାଇଲା । ସୋନିଆ ଡରିବାର ଝିଅ ନ ଥିଲେ । ସାହସର ସହିତ ଅର୍ଜୁନ ସିଂହଙ୍କ ବନ୍ଧୁକ ଆଗକୁ ଆସି ପ୍ରାଚୀର ପରି ଠିଆହେଲେ । ସୋନିଆଙ୍କ ସାହସ ଆଗରେ ନଇଁଲା ଅପରାଧିର ବନ୍ଧୁକ ।
ସୋନିଆ ମିନା ରାଜସ୍ଥାନର ମୂଳ ବାସିନ୍ଦା । ତାଙ୍କ ବାପାଙ୍କ ନାଁ ଟୀକାରାମ ମିନା । ଟୀକାରାମ ମିନା ମଧ୍ୟ ଜଣେ ଆଇଏଏସ ଅଧିକାରୀ । ସେ କେରଳ କ୍ୟାଡର ହୋଇଥିବା ବେଳେ ସୋନିଆ ମଧ୍ୟପ୍ରଦେଶ କ୍ୟାଡର ଭାବେ ଚୟନ ହୋଇଥିଲେ । ରାଜଗଡ଼ର ଏସ ଡି ଏମ ଠାରୁ ଆରମ୍ଭ କରି ଉମରିଆ ଏବଂ ମୁରେନା ଜିଲ୍ଲାର ଜିଲା ପଂଚାୟତ ଅଧିକାରୀ ଭାବେ ଭିନ୍ନ ଭିନ୍ନ ପଦପଦବୀରେ ଅବସ୍ଥାପିତ ରହି ସେ ନୂଆ ରେକର୍ଡ ଓ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅନୁପପୁରରେ କୋଇଲା ଖଣିର ବେଆଇନ ବିସ୍ତାର ଓ ଆଦିବାସୀଙ୍କ ଜମି ହଡପ ଘଟଣାରେ ସେ ତ୍ୱରିତ ହସ୍ତକ୍ଷେପ କରି ଉପଯୁକ୍ତ ନ୍ୟାୟ ଦେବାରେ ସକ୍ଷମ ହୋଇଥିଲେ । ୧୯୮୯ରେ ଜନ୍ମିତ ସୋନିଆ ୨୦୧୩ ସେପ୍ଟେମ୍ବରରୁ ଚାକିରୀ ଜୀବନ ଆରମ୍ଭ କରି ସାଧାରଣ ଲୋକଙ୍କ ପକ୍ଷଭୁକ୍ତ ହେବା ସହିତ ଗରିବ ଲୋକଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି ।