୨୬ ବର୍ଷୀୟା ଛେରିଙ୍ଗ୍ ଅଙ୍କିତ୍ ଜଣେ ଗ୍ରାମୀଣ ଡାକ କର୍ମଚାରୀ । ବିଗତ ୫ ବର୍ଷ ଧରି ସେ ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଗମନାଗମନ ଦୃଷ୍ଟିରୁ ୬ ମାସ ବିପର୍ଯ୍ୟସ୍ତ ହୋଇପଡୁଥିବା ହିମାଚଳ ପ୍ରଦେଶର ଲାହୌଲ୍ ସ୍ପିତିରେ ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ସେ କାମ କରୁଛନ୍ତି । ଜଣେ ସାହସୀ ଡାକ ସେବିକା ଭାବେ କାର୍ଯ୍ୟ କରି ସେ ପ୍ରମାଣିତ କରିଦେଇଛନ୍ତି କେବଳ ପୁରୁଷ ନୁହଁ ନାରୀ ମଧ୍ୟ କରିପାରେ ପ୍ରତିକୂଳ ପରିସ୍ଥିତିରେ ଅତ୍ୟନ୍ତ କଷ୍ଟକର କାମ ।
ପ୍ରବଳ ଥଣ୍ଡା ତୁଷାର ଝଡ଼ ଭିତରେ ଛେରିଙ୍ଗ୍ଙ୍କୁ ନୀତିଦିନର ଅଫିସ କାମ କରିବାକୁ ପଡେ । ଏଥିପାଇଁ ସେ ପ୍ରତ୍ୟହ ସକାଳ ସାଢ଼େ ୯ଟାରେ ଘରୁ ବାହାରନ୍ତି । ସେହି ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଥିବାରୁ ତାଙ୍କୁ ଆଗୁଆ ଆସିବାକୁ ହୁଏ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟ ଆରମ୍ଭ ହେଉଥିଲେ ହେଁ ସେ ଟିକେ ଆଗୁଆ ପହଞ୍ଚନ୍ତି । ୧୨ କିଲୋମିଟର୍ ଦୂର କାଜାରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ତାଙ୍କର ଜଣେ ସହକର୍ମୀ ଡାକ ଆଣି ଛେରିଙ୍ଗ୍ଙ୍କୁ ଦିଅନ୍ତି । ଛେରିଙ୍ଗ୍ ଡାକ ଗ୍ରହଣ କରିବା ପରେ ଠିକଣା ଅନୁଯାୟୀ ତାକୁ ସଜାଇ ଲୋକଙ୍କ ଘର ଘର ବୁଲି ଦେବାକୁ ପହଞ୍ଚନ୍ତି । ସମୁଦ୍ର ପତ୍ତନଠାରୁ ପାଖାପାଖି ୧୦ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଅଞ୍ଚଳରେ ବୁଲି ବୁଲି ଚିଠିପତ୍ର ବାଣ୍ଟିବା ତାଙ୍କର ଏବେ ଦେହସୁହା ହୋଇଛି । ଶୀତଦିନେ କୁହୁଡି ,ବରଫ ଓ ହେମାଳ ପବନ ଯୋଗୁଁ ଅନେକ ସମୟରେ ମାଟି ଅତଡ଼ା ଧସି ରାସ୍ତା ସବୁ ଅବରୋଧ ହୋଇଥାଏ। ଏସବୁକୁ ଖାତିର ନ କରି ସେ ନିଜ ଦାୟିତ୍ୱରେ ଥିବା ୧୨ଖଣ୍ଡ ଗ୍ରାମ ବୁଲି ବୁଲି ଚିଠି ପତ୍ର ଦେଇଥାନ୍ତି ।
ତାଙ୍କର ସ୍ୱାମୀ ତହସିଲ୍ ଅଫିସ୍ରେ କିରାଣି ଭାବେ ନିଯୁକ୍ତି ପାଇଛନ୍ତି । ସ୍ୱାମୀ ଓ ଶାଶୁଙ୍କୁ ନେଇ ତାଙ୍କର ଛୋଟ ଏକ ପରିବାର । ସ୍ନାତକ ପଢ଼ିଥିବା ଛେରିଙ୍ଗ୍ ଦକ୍ଷତାର ସହ ଚାକିରି ସହିତ ଘରକାମ ମଧ୍ୟ ସମ୍ପାଦିତ କରୁଛନ୍ତି । ଲୋକଙ୍କୁ ସେବା କରୁଥିବା ଭଳି ଚାକିରି ଖଣ୍ଡେ ପାଇଥିବାରୁ ସେ ବେଶ ଖୁସି ଥିବା ନିଜ ପ୍ରତିକ୍ରିୟାରେ କହନ୍ତି । ଗାଁରେ ସେ ଯେତେବେଳେ ନେଇ ଚିଠି ,ମନିଅର୍ଡର ନେଇ ଦିଅନ୍ତି ସେତେବେଳେ ଲୋକଙ୍କ ମୁହଁରେ ଚେନାଏ ଖୁସି ତାଙ୍କୁ ଏଭଳି କାମ କରିବା ଦିଗରେ ପ୍ରେରିତ କରେ ।