ରାଜସ୍ଥାନର ନୂଆ ଜିଲ୍ଲା ବାଲୋତରା ଅନ୍ତର୍ଗତ ଛୋଟ ଏକ ଗାଁ ମାଥାସର । ଏହି ଗାଁର ବାସିନ୍ଦା ହେଉଛନ୍ତି ଗୋମାରାମ କାକଡ଼ । ଗୋମାରାମ ବୃତ୍ତିରେ ଜଣେ ଗାଡି ମେକାନିକ । ସେଥିରୁ ସେ ଯାହା ଆୟ କରନ୍ତି ସେଥିରେ ତାଙ୍କର ଦୁଇ ପୁଅ ,ଝିଅ ଓ ପତ୍ନୀଙ୍କ ଦାନାପାଣି ଚଳେ । ଗୋମାରାମ ଆରମ୍ଭରୁ ପିଲାମାନଙ୍କ ଉଚ୍ଚ ଶିକ୍ଷା ସପକ୍ଷରେ । ଆର୍ଥିକ ସଙ୍କଟ ସତ୍ୱେ ସେ ପୁଅ ଓ ଝିଅଙ୍କ ଉଚ୍ଚ ଶିକ୍ଷା ଦେବାରେ କୌଣସି କାର୍ପଣ୍ୟ କରିନାହାନ୍ତି । ଏଥିପାଇଁ ସେ ସମ୍ପର୍କୀୟ ମାନଙ୍କ ଠାରୁ ହାତ କରଜ ସହିତ ବ୍ୟାଙ୍କ ଋଣ ଯୋଗାଡ଼ କରିବାରେ ନାକେଦମ ହୋଇଛନ୍ତି ସତ ;ହେଲେ ପିଲାଙ୍କ ଶିକ୍ଷା ସହିତ ସାଲିସ କରିନାହାନ୍ତି । ତାଙ୍କର ଏକମାତ୍ର ଝିଅ କବିତା ପାଠରେ ବେଶ ଭଲ କରୁଥିଲେ । କବିତା ମାଟ୍ରିକ ପରୀକ୍ଷାରେ ୮୫.୮୩ ପ୍ରତିଶତ ନମ୍ବର ଆଣିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନରେ ୭୯.୮୦ ପ୍ରତିଶତ ନମ୍ବର ଆଣିଥିଲେ । ସର୍ବ ଭାରତୀୟ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ଆଣିଥିବାରୁ ଖଡ଼ଗପୁର ଆଇ ଆଇ ଟି ରେ ତାଙ୍କୁ ପଢିବା ପାଇଁ ମିଳିଯାଇଥିଲା ସୁଯୋଗ । କିନ୍ତୁ ଅର୍ଥ ଥିଲା ମୁଖ୍ୟ ପ୍ରତିବନ୍ଧକ । କବିତାଙ୍କ ପିତା ପୁଣି ଥରେ ସମ୍ପର୍କୀୟ ମାନଙ୍କ ନିକଟକୁ କରଜ ପାଇଁ ଯିବା ବେଳେ ସମସ୍ତେ କହିଲେ ଝିଅ ଜନ୍ମ ତ ପର ଘରକୁ । ଏତେ ଧାର କରଜ କରି ପଢ଼ାଇବା କଣ ଦରକାର । କିନ୍ତୁ ନଛୋଡବନ୍ଧା ଥିଲେ କବିତାଙ୍କ ପିତା ଗୋମାରାମ । ଶେଷରେ କବିତା ଆଇଆଇଟି ଖଡ଼ଗପୁରରେ ପଢିଲେ ଓ ପଢ଼ା ଶେଷରେ ଗୋଟିଏ ଘରୋଇ କମ୍ପାନୀରେ ସଫ୍ଟୱେର ଡେଭଲପର ଭାବେ ନିଯୁକ୍ତି ପାଇଲେ । କିନ୍ତୁ ଏତିକିରେ ସେ ଅଟକି ନ ଥିଲେ । କିଛି ମାସର ଚାକିରୀ ଭିତରେ ସେ ଗୁଗୁଲ ପାଇଁ ଆବେଦନ କଲେ ଓ ସଫଳ ହେଲେ । ଏବେ କବିତା ଗୁଗୁଲର ବାଙ୍ଗାଲୋର ଅଫିସରେ ସଫ୍ଟୱେର ଇଂଜିନିୟର ଭାବେ ନିୟୋଜିତ ଅଛନ୍ତି ଓ ବର୍ଷକୁ ୫୦ ଲକ୍ଷ ଟଙ୍କାର ମୋଟା ପ୍ୟାକେଜ ପାଇଁ ନିଜକୁ ଯୋଗ୍ୟ କରାଇଛନ୍ତି । ଝିଅ ପ୍ରତି ଅତୁଟ ବିଶ୍ୱାସ ଓ ସବୁ ପ୍ରକାର ସହଯୋଗ କରିଥିବାରୁ କବିତା ନିଜ ପିତାମାତାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ମନରେଗା ମଜୁରିଆଙ୍କ ଝିଅ ହେଲେ କଲେକ୍ଟର