• Saturday, September 21, 2024

ଅତିଥିଙ୍କ ଅପେକ୍ଷାରେ କୁଲଢ଼ିହା ଅଭୟାରଣ୍ୟ

Subhadra Live:Kuldaiha-Sanctuary-awaits-guests

ଆଗାମୀ ନଭେମ୍ବର ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଢ଼ିହା ଅଭୟାରଣ୍ୟ । ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଭୟାରଣ୍ୟ ପରିବେଶ ମଧ୍ୟରେ ପର୍ଯ୍ୟଟକଙ୍କ ନିମିତ୍ତ ନେଚର କ୍ୟାମ୍ପ ଓ ସମସ୍ତ ସୁବିଧା ଥିବା ଅତ୍ୟାଧୁନିକ ତମ୍ବୁ ଘର ତିଆରି ହୋଇଛି । ଜଙ୍ଗଲ ଭିତରେ ସ୍ଥାପିତ ସ୍ୱତନ୍ତ୍ର ୯ଟି ତମ୍ବୁ ଘରେ ଜଳ ,ବିଜୁଳି ,ଶୌଚାଳୟ ଓ ରାତ୍ରିଯାପନର ବନ୍ଦୋବସ୍ତ କରାଯାଇଛି । ଜନଜାତି ଓ ବଣ୍ୟ ଜୀବନ ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ଶିମିଳିପାଳ ଜାତୀୟ ଉଦ୍ୟାନର ଶୁଖୁଆପଡା ପାହାଡ଼କୁ ଛୁଇଁଥିବା କୁଲଢ଼ିହା ଅଭୟାରଣ୍ୟ ପ୍ରକୃତିର ଏକ ଅନନ୍ୟ ବିଭବ । ୨୭୨.୭୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ ,ମୃଗ ,ସମ୍ବର ,ଠେକୁଆ ,ମୟୁର ,ଝିଙ୍କ ଓ କାଲରାପତ୍ରିଆ ବାଘ ସମେତ ୨୫୦ ପ୍ରକାରର ପକ୍ଷୀ ଦେଖାଯାଇଥାନ୍ତି ।

ଏଠାରୁ ପ୍ରବାହିତ ଜଙ୍ଗଲୀ ଝରଣାରେ କୁମ୍ଭୀର ଓ ଅନ୍ୟାନ ସରୀସୃପଙ୍କୁ ଦେଖିବାକୁ ମିଳେ । ଏସବୁ ଦେଖିବା ପାଇଁ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହୁଥିବା ଏହି ଅଭୟାରଣ୍ୟ ନଭେମ୍ବର ୧ ତାରିଖ ଠାରୁ ଖୋଲିବାକୁ ଯାଉଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଅଭୟାରଣ୍ୟ ନିକଟରେ ରହିଥିବା ରିଷିଆ ଜଳଭଣ୍ଡାର ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦ  । ଆଖପାଖ ଅଞ୍ଚଳରୁ ଶୀତଋତୁରେ ଅନେକ ଲୋକ ବଣଭୋଜି ପାଇଁ ଏଠାକୁ ଆସିଥାନ୍ତି  । ଜାନୁଆରୀ ୪,୧୯୮୪ ମସିହାରୁ ଅଭୟାରଣ୍ୟର ମାନ୍ୟତା ପାଇଥିବା କୁଲଢ଼ିହା ହାତୀଙ୍କ ପ୍ରକୃତ ସୁରକ୍ଷା କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.