ଭାରତ ମିଆଁମାର ସୀମା ମିଜୋରାମର ଜଣେ ଝିଅ ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ପ୍ରବେଶ କରି ସଫଳ ହୋଇଛନ୍ତି । ଏହି ଝିଅ ଜଣଙ୍କ ହେଉଛନ୍ତି ଖ୍ରୀଷ୍ଟିନା ରିଣ୍ଡିକି । ପିଲାଟି ଦିନରୁ ନିଜର ଏକ ଲଜିଷ୍ଟିକ୍ ବ୍ୟବସାୟ ଆରମ୍ଭ ପାଇଁ ସ୍ବପ୍ନ ଦେଖୁଥିବା ଖ୍ରୀଷ୍ଟିନା ଏବେ ଆମାଜନ୍ର ମହିଳା ବିତରକ ଭାବେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିବାରେ ସକ୍ଷମ ହୋଇଛନ୍ତି । ସେ ସମ୍ପ୍ରତ୍ତି ଉତ୍ତର-ପୂର୍ବ ଭାରତରେ ଆମାଜନ୍ର ପ୍ରଥମ ‘ଅଲ୍-ଓମେନ୍ ଡେଲିଭରି ଷ୍ଟେସନ୍’ର ଅଗ୍ରଣୀ ଉଦ୍ୟୋଗୀ ଭାବେ ନିଜର ସ୍ୱପ୍ନକୁ ସାକାର କରିବା ସହିତ ଅନ୍ୟ ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ଦିଗରେ ଦେଇଛନ୍ତି ପ୍ରେରଣା ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖ୍ରୀଷ୍ଟିନା କହନ୍ତି ଆମାଜନ ଏହି ଅଂଚଳରେ ମହିଳା ଡେଲିଭରି ବୟ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପରେ ମୋ ଭଳି ଅନେକ ଝିଅଙ୍କୁ ମିଳିଛି ସୁଯୋଗ । ସେମାନେ ତାଲିମ ପାଇବା ପରେ ଗ୍ରାହକ ସେବା କ୍ଷେତ୍ରରେ ଅର୍ଜନ କରିଛନ୍ତି ଅନେକ ଅନୁଭବ । ଆମାଜନ୍ର ଏହି ଷ୍ଟେସନ୍ଟି ମ୍ୟାନ୍ମାର-ଭାରତ ସୀମା ନିକଟ ମିଜୋରାମର ରାଜଧାନୀ ଚମ୍ପାଇରେ ଅବସ୍ଥିତ ।
ଆମାଜନ୍ ଇଣ୍ଡିଆରେ ଅଂଶୀଦାରମାନଙ୍କ ଦ୍ୱାରା ପରିଚାଳିତ ପାଞ୍ଚଟି ମହିଳା ବିତରଣ କେନ୍ଦ୍ର ରହିଛି । ତାମିଲନାଡୁ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଓ କେରଳରେ ଦୁଇଟି ଷ୍ଟେସନ୍ ରହିଛି । ତେବେ ଖ୍ରୀଷ୍ଟିନା ରିଣ୍ଡିକିଙ୍କ ସମସ୍ତ ମହିଳା ଦଳ ପ୍ରତିଦିନ ୩୦୦ରୁ ଅଧିକ ଆମାଜନ୍ ପ୍ୟାକେଟ୍ ବିତରଣ କରିଥାନ୍ତି । ତାଙ୍କ ଟିମ୍ରେ ସବୁ ମହିଳାଙ୍କ ବୟସ ୨୨ ରୁ ୨୩ ବର୍ଷ ମଧ୍ୟରେ । ପ୍ରତିଦିନସକାଳୁ ଯୁବତୀମାନେ ଡେଲିଭରି ଷ୍ଟେସନ୍ରେ ପହଞ୍ଚି ପାର୍ସଲ ନେଇ ଡେଲିଭରି ଦେବାକୁ ବାହାରନ୍ତି । କେବେ ପାଦରେ ଚାଲି ଚାଲି ତ କେବେ ଦୂରରେ ଥିବା ଠିକଣାକୁ ସ୍କୁଟରରେ ଯାଇ ପାର୍ସଲ ପହଞ୍ଚାଇଥାନ୍ତି । ଖ୍ରୀଷ୍ଟିନା କହନ୍ତି ଦୁର୍ଗାପୂଜା ସମୟରେ ସେମାନଙ୍କ ଟିମକୁ ଅଧିକ ପରିଶ୍ରମ କରିବାକୁ ପଡିଛି । ଘରୋଇ ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ରୋସରୀ ଯାଏଁ ବ୍ୟାପକ ପରିମାଣର ପ୍ୟାକେଟ ବିତରଣ କରିବାକୁ ପଡିଛି । ଦିନେ ଏହି କାମ କରୁଥିବା ମହିଳାଙ୍କୁ ଲୋକେ ନାପସନ୍ଦ କରୁଥିବା ବେଳେ ଏବେ କରୁଛନ୍ତି ପ୍ରସଂଶା ।