• Saturday, September 21, 2024

ମାଲକାନଗିରିରେ ହେବ ସାଉଥ ଫିଲ୍ମ ପୁଷ୍ପା ୨ର ସୁଟିଂ

Subhadra Live:Pushpa-2-to-be-also-shot-in-erstwhile-Maoist-hotbed-of-Malkangiri
ସୁଭଦ୍ରା : 11/04/2023

ପ୍ରାକୃତିକ ଶୋଭା ସୁଷମାର ଗନ୍ତାଘର ଅବିଭକ୍ତ କୋରାପୁଟ ଉପରେ ଦକ୍ଷିଣୀ ସିନେ ପ୍ରଯୋଜକଙ୍କ ପଡିଛି ଆଖି । ପୂର୍ବରୁ କୋରାପୁଟ ,ରାୟଗଡା ,ମାଲକାନଗିରି ଓ ନବରଙ୍ଗପୁରରେ ଅନେକ ଡକ୍ୟୁମେଣ୍ଟାରୀ ଓ ଚଳଚିତ୍ର ସୁଟିଂ ହୋଇଥିବା ବେଳେ ଏବେ ଆଉ ଏକ ବଡ଼ ବଜେଟର ସିନେମା ମାଲକାନଗିରି ସ୍ୱାଭିମାନ ଅଂଚଳରେ ସୁଟିଂପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଲୋଡିଛନ୍ତି ପ୍ରଯୋଜନା ସଂସ୍ଥା ।

ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହାର ସୁଟିଂ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଓ ସପ୍ତଧାରାର ବିଭିନ୍ନ ସ୍ଥାନରେ କରାଯିବା ନେଇ ସରିଛି ପ୍ରସ୍ତୁତି  । ସ୍ଥାନ ଚୟନ ପରେ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ମାଲକାନଗିରି ଜିଲାପାଳ ବିଶାଳ ସିଂ ଓ ଆରକ୍ଷୀ ଅଧୀକ୍ଷକ ନିତେଶ ବାଧ୍ୱାନୀଙ୍କ ଠାରୁ  ଅନୁମତି ଲୋଡ଼ାଯାଇଛି ।

ନିକଟରେ ପୁଷ୍ପା-୨ର ପୋଷ୍ଟର ଓ ଟିଜର ରିଲିଜ୍‌ ହୋଇଥିବାବେଳେ ଏହାକୁ ମିଳିଛି ଦର୍ଶକୀୟ ସ୍ୱୀକୃତି । ସୋସିଆଲ ମିଡିଆରେ ଚଳଚ୍ଚିତ୍ରର ଶୁଟିଂକୁ ନେଇ ଅନେକ ପୋଷ୍ଟ ଅପଲୋଡ୍‌ ହେଉଛି । ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍‌ ଗତ ଏକମାସ ଧରି ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ସ୍ବାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲୱେରେ ନିର୍ମାଣାଧୀନ ପୋଲ ନିକଟରେ ଶୁଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସଂସ୍ଥା ପକ୍ଷରୁ ଫାଇଟ୍‌ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ୍‌ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁବ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମ୍ୟାନ୍‌ ଦେବରାଜ ପ୍ରମୁଖ ୨ଦିନ ଧରି ମାଲକାନଗିରିର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି  ।  ଆସନ୍ତା ମେ’ ପ୍ରଥମ ସପ୍ତାହରେ ଶୁଟିଂ ହେବାକୁ ଧାର୍ଯ୍ୟ ହୋଇଥିବା  ସୂଚନା ମିଳିଛି । 

ଜଣେ ସାଧାରଣ ଶ୍ରମିକରୁ ଚନ୍ଦନ କାଠ ଚୋରା ଚାଲାଣକାରୀ ଦସ୍ୟୁ ପାଲଟିଥିବା ‘ପୁଷ୍ପା’ ଉପରେ ନିର୍ମିତ ଚଳଚ୍ଚିତ୍ରର ପ୍ରଥମ ଭାଗଟି ପ୍ରଥମେ ତେଲୁଗୁ ଓ ପରେ ହିନ୍ଦୀ, ତାମିଲ, କନ୍ନଡ ଭାଷାରେ ୨୦୨୧ ଡିସେମ୍ବରରେ ମୁକ୍ତି ଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ବ୍ୟବସାୟିକ ସଫଳତା ହାସଲ କରିଥିବାବେଳେ ପୁଷ୍ପା୨ ମଧ୍ୟ ସଫଳତା ହାସଲ କରିବ ବୋଲି ନିର୍ଦ୍ଦେଶକ ସୁକୁମାର ଆଶା ପ୍ରକଟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତର ନାୟକ ଅଲ୍ଲୁ ଅର୍ଜୁନ, ନାୟିକା ରସ୍ମିକା ମାନ୍ଧନା ଓ ସୁନିଲଙ୍କ ଭଳି ବହୁ ଲୋକପ୍ରିୟ କଳାକାର ରହିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.