ରଦି କାଗଜରୁ ରୋଜଗାର । ପୁରୁଣା ଖବର କାଗଜରେ କଣ୍ଢେଇ ତିଆରି କରି ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଦିବ୍ୟାଙ୍ଗ ଯୁବତୀ ରାଧିକା । ନିଜାମାବାଦ ବାସିନ୍ଦା ବି .ରାଧିକା । ଜନ୍ମରୁ ବିରଳ ଏକ ଅସ୍ଥି ଜନିତ ରୋଗରେ ପୀଡିତ । ଘରୁ ବାହାରକୁ ଯିବା ତାଙ୍କ ନିକଟରେ ସମ୍ଭବ ନୁହଁ । ତାଙ୍କର ଗୋଡ଼ରେ ଦୁଇଥର ଅସ୍ତ୍ରୋପଚାର ସତ୍ୱେ ସୁସ୍ଥ ହୋଇନାହାନ୍ତି ରାଧିକା । କିନ୍ତୁ ନିଜର ଆତ୍ମବିଶ୍ୱାସ ,ଉଦ୍ୟମ ,ନିଷ୍ଠା ଓ ଦମରେ ସେ ଘରେ ବସି ପୁରୁଣା ଖବର କାଗଜରେ କଣ୍ଢେଇ ତିଆରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।୨୩ ବର୍ଷୀୟା ରାଧିକା ସୋସିଆଲ ମିଡିଆରେ ବ୍ୟବସାୟ ଚଳାନ୍ତି ।
ରାଧିକା ଏକ ଟିଭି ସୋରୁ ଖବରକାଗଜ କ୍ରାଫ୍ଟ ଆୟତ୍ତ କରିଥିଲେ । ପୁରୁଣା ଖବର କାଗଜରେ ୱାଲ ହାଂଗିଙ୍ଗ ,ଟୋପି ,ବୋଇତ ,କଲମଷ୍ଟାଣ୍ଡ ,ଆଦି ତିଆରି କରିବା ଆରମ୍ଭ କଲେ । ପଡୋଶୀ ଓ ସମ୍ପର୍କୀୟ ମାନେ ଏହାକୁ ପସନ୍ଦ କରିବା ପରେ ସେ ଉତ୍ସାହିତ ହୋଇ ବ୍ୟବସାୟିକ ଭାବେ ପରିଚାଳନା କରିବା ଚିନ୍ତାକଲେ । ରାଧିକାଙ୍କ ଜଣେ ସାଙ୍ଗ ତାଙ୍କୁ ଦିନେ କାଗଜରେ ତିଆରି କିଛି ଆଫ୍ରିକାନ କଣ୍ଢେଇ ଦେଇ ଏହିଭଳି କଣ୍ଢେଇ ତିଆରି କରିବାର ପରାମର୍ଶ ଦେଲେ । କଣ୍ଢେଇକୁ ଦେଖି ରାଧିକା ଆଉ କିଛି ନୂଆ ସୃଜନଶୀଳତା କରିବାରେ ସକ୍ଷମ ହେଲେ । ଆଫ୍ରିକାନ କାଗଜ କଣ୍ଢେଇ ସମେତ ଭାରତୀୟ ପାରମ୍ପରିକ ପୋଷାକ ପରିହିତା ସ୍ବଦେଶୀ କଣ୍ଢେଇ ତିଆରି କରି ସେ ଇନଷ୍ଟାଗ୍ରାମ ,ଫେସବୁକ ଓ ଟେଲିଗ୍ରାମ ଚାନେଲ ଜରିଆରେ ଗ୍ରାହକଙ୍କୁ ଖୋଜିଲେ ଓ ବିଭିନ୍ନ ଆଡୁ ଅର୍ଡର ପାଇଲେ । ଜୀବିକାକୁ ନେଇ ସନ୍ଦିହାନ ଥିବା ରାଧିକା ଏବେ ନିଜ ସହରରେ କାଗଜ କଣ୍ଢେଇ ବିକ୍ରି ଓ ପ୍ରଦର୍ଶନ ପାଇଁ ଏକ ଷ୍ଟୋର ଖୋଲିଛନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ୱାବଲମ୍ବୀ ହେବା ରାଧିକାଙ୍କୁ ନୂଆ ପରିଚୟ ଦେଇଛି । ଦୃଢ ଇଛାଶକ୍ତି ଆଗରେ ଦିବ୍ୟାଙ୍ଗ ଏକ ପ୍ରତିବନ୍ଧକ ନୁହଁ ବୋଲି କହିଛନ୍ତି ରାଧିକା ।