• Saturday, September 21, 2024

ବାଘ ମୁହଁରୁ ବାନ୍ଧବୀକୁ ଉଦ୍ଧାର କଲେ ଦୁଇ ମହିଳା

Subhadra Live:women-rescues-friend-from-tiger

ଉତ୍ତରାଖଣ୍ଡ ଚମ୍ପାୱତ୍‌ ଜିଲ୍ଲା ଅନ୍ତର୍ଗତ ବୁନ୍‌ ବନଖଣ୍ଡରେ ଦୁଇଜଣ ମହିଳା ଗୋଟାଏ ବାଘ ସହିତ ଲଢ଼େଇ କରି ତାରି ଆଁ ଭିତରୁ ସେମାନଙ୍କ ବାନ୍ଧବୀକୁ ରକ୍ଷା କରିଛନ୍ତି । ଦୁଇ ମହିଳାଙ୍କ ସାହସ ଆଗରେ ହାର ମାନିଛି ଜଙ୍ଗଲର ରାଜା । ଗତ ଶନିବାର ଅର୍ଥାତ ୨୩ ଡିସେମ୍ବର ସକାଳେ  ୩୬ ବର୍ଷୀୟ ଜାନକୀ ଦେବୀ  ୩୭ ବର୍ଷୀୟ ପାର୍ବତୀ ଦେବୀ ଓ ୩୬ ବର୍ଷୀୟ ଗୀତା ଦେବୀ ଘାସ ସଂଗ୍ରହ ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ଜଙ୍ଗଲ ମଝିରେ ଘାସ କାଟୁଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗୋଟିଏ ବାଘ ଗୀତା ଦେବୀଙ୍କ ଉପରକୁ କୁଦା ମାରିଲା । ଗୀତାଦେବୀଙ୍କ ଚିତ୍କାର ଶୁଣି ଜାନକୀ ଦେବୀ ଓ ପାର୍ବତୀ ଦେବୀ ବୁଲି ଦେଖନ୍ତି ତ ଗୀତାଙ୍କୁ ବାଘ ଟି ଘୋଷାରି ଘୋଷାରି ନେଉଛି ।

ବୁନ୍‌ ‘ଫରେଷ୍ଟ ରେଞ୍ଜର୍‌’ ଗୁଲ୍‌ଜାର୍‌ ହୁସେନ୍‌ କହନ୍ତି , ବାଘଟି ଗୀତାଙ୍କ ଉପରକୁ ଲମ୍ଫ ଦେଇ ତାଙ୍କୁ  ଜଙ୍ଗଲ ଆଡ଼କୁ କିଛି ବାଟ ଘୋଷାରି  ନେଇଥିଲା । ଜାନକୀ ଓ ପାର୍ବତୀ ଏଥିରେ ଭୟଭୀତ ନ ହୋଇ ହାତରେ ଧରିଥିବା ଦାଆ ସାହାଯ୍ୟରେ  ବାଘ ସହିତ ଲଢ଼େଇ କଲେ । ଦାଆ ମାଡ଼ରେ ବାଘଟି କ୍ଷତାକ୍ତ ହେଲା । ଶେଷରେ ଗୁରୁତର କ୍ଷତାକ୍ତ ଗୀତାକୁ ଛାଡ଼ିଦେଇ  ବାଘଟି  ଜଙ୍ଗଲ ଭିତରକୁ  ଚାଲିଗଲା । ଏଣେ ବାଘ ଦ୍ୱାରା ପୀଡିତ ଗୀତାଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଚେତାଶୁନ୍ୟ  ଅବସ୍ଥାରେ ତାଙ୍କୁ ଟଣକପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଚିକିତ୍ସାଧୀନ ଥିବା ଗୀତା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସେ ଏବେ ବିପଦମୁକ୍ତ ଥିବା କଥା କହିଛନ୍ତି  ଚିକିତ୍ସା କରୁଥିବା ଡାକ୍ତର । ଗୀତାଙ୍କ ମୁଣ୍ଡରେ ୨୪ଟି ‘ଷ୍ଟିଚ୍‌ ପଡ଼ିଛି । ଏବେ ସେ ବିପଦମୁକ୍ତ ବୋଲି ଟଣକପୁର ଚିକିତ୍ସାଳୟର ଡାକ୍ତର ମହମ୍ମଦ୍‌ ଅଫ୍‌ତାବ୍ କହିଛନ୍ତି । ବାଘ ସହିତ ଲଢ଼ି ବାନ୍ଧବୀଙ୍କ ଜୀବନ ବଂଚାଇଥିବା  ଜାନକୀ ଓ ପାର୍ବତୀଙ୍କ ପାଇଁ ଛୁଟୁଛି ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ।

ଅଧିକ ପଢ଼ନ୍ତୁ: ସାହସର ପ୍ରତୀକ କ୍ୟାପଟେନ ସୁସ୍ମିତା ପାଣ୍ଡେ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.