ପ୍ରତିକୂଳ ପରିବେଶରେ ବଢ଼ି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ଘରେ ନିଜର କେହି ଉପାର୍ଜନକ୍ଷମ ବଡ଼ଭାଇ ନଥିବାରୁ ସେ ନିଜ ରୋଗୀଣା ପିତାମାତାଙ୍କୁ ସହଯୋଗ କରିବା ପାଇଁ ଆରମ୍ଭ କରିଛନ୍ତି କୌଳିକ ବୃତ୍ତି । ନାଗପୁରର ୱାଥେଡା ଅଂଚଳରେ ରହୁଥିବା ପ୍ରୀତି ହିଙ୍ଗେ ପାରମ୍ପରିକ କାଠ କାମକୁ ଜୀବିକା ଭାବେ ଆରମ୍ଭ କରି ଅନେକଙ୍କ ପାଇଁ ଏବେ ଉଦାହରଣ ।
ପ୍ରୀତି କହନ୍ତି ମୁଁ ମୋର ବାପାଙ୍କ ଠାରୁ ଏ କାମ ଦେଖି ଦେଖି ଶିଖିଛି । ପ୍ରଥମରୁ ସେ ମୋତେ ଶିଖାଉନଥିଲେ । ଝିଅ ପିଲାଟିଏ ହୋଇ କାଠ କାମ କିପରି କରିବୁ ବୋଲି କହୁଥିଲେ । କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଡ଼କୁ ଗତି କଲା ଓ ଘରେ ପରିବାର ଦାୟିତ୍ୱ ନେବାକୁ ମୋର କେହି ଭାଇ ନ ଥିଲେ ତେଣୁ ବାପାଙ୍କ ନିକଟରେ ବସି କାମ ଶିଖିଲି ବୋଲି କହନ୍ତି ପ୍ରୀତି ।
ଶ୍ରୀ ଗଣେଶ ଫର୍ନିଚର ନାମରେ ଏକ ଦୋକାନ ଖୋଲି ଟେବୁଲ ,ଚେୟାର ,ଖଟ ,ପଲଙ୍କ ,ଦିବାନା ଓ ସୋଫା ତିଆରିର ଅର୍ଡର ରଖିଲେ । ଏବେ ଲୋକେ ତାଙ୍କୁ କାର୍ପେଣ୍ଟର ଦିଦି ନାମରେ ଡାକୁଛନ୍ତି ।
ପ୍ରୀତିଙ୍କ ଶ୍ରୀଗଣେଶ ଫର୍ଣ୍ଣିଚର ଦୋକାନରେ ଏବେ ଅନ୍ୟ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରୀତିଙ୍କ ପତି ଯିଏକି ଜଣେ ଅଟୋ ଡ୍ରାଇଭର ସେ ମଧ୍ୟ ଏଭଳି କାମ ଜାଣିଥିବାରୁ ପ୍ରୀତୀଙ୍କୁ ସମ୍ମାନ କରନ୍ତି ।
ପ୍ରୀତି କହନ୍ତି କୌଣସି କାମରେ ଲେଖାହୋଇନି ଏହି କାମ କେବଳ ପୁରୁଷଙ୍କର ବୋଲି । ପୁରୁଷ ପ୍ରାଧାନ୍ୟ ଅନେକ କାମକୁ ଏବେ ମହିଳା ମାନେ ସୁଚାରୁ ରୂପେ ସମ୍ପନ୍ନ କରିପାରୁଛନ୍ତି ବୋଲି ତାଙ୍କର ମତ ।