ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ କୋଲକାତା ହତ୍ୟା ଓ ଦୁଷ୍କର୍ମ ମାମଲାର ରାୟ । ଦେଶ ବ୍ୟାପି ତୁମ୍ବି ତୋଫାନ ସୃଷ୍ଟି କରିଥିବା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ମିଳିଛି ଆଜୀବନ । ସଜା ଶୁଣାଇଛନ୍ତି ସିଆଲଦା ସେସନ୍ସ କୋର୍ଟ । ଦେଶକୁ ଦୋହଲାଇ ଦେଇଥିବା ଏହି ହତ୍ୟା ଓ ଦୁଷ୍କର୍ମ ବିରଳରୁ ବିରଳତମ ଘଟଣା ନୁହଁ ବୋଲି ନିଜ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ଅନିର୍ବାଣ ଦାସ । ୬ ମାସ ମଧ୍ୟରେ ଦୋଷୀ ଦଣ୍ଡ ପାଇଥିବାରୁ ମହିଳା ଅଧିକାର ଦିଗରେ ଲଢ଼ୁଥିବା କର୍ମୀ ମାନେ ଆସ୍ୱସ୍ଥି ହୋଇଥିବା ବେଳେ ଅନ୍ୟ କେତେକ ଦଣ୍ଡ ଦୃଷ୍ଟାନ୍ତ ମୂଳକ ହେବା ଉଚିତ ଥିଲା ବୋଲି ରଖିଛନ୍ତି ପ୍ରତିକ୍ରିୟା ।
ଅଗଷ୍ଟ ୯ ,୨୦୨୪ରେ ମେଡିକାଲ କଲେଜର ସେମିନାର ହଲରୁ ମିଳିଥିଲା ଜୁନିୟର ଡାକ୍ତରଙ୍କ ଶବ । ବାଓପ୍ସି ପରୀକ୍ଷଣରୁ ଏହା ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାଯାଇଥିଲା । ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଂଜୟକୁ ଗିରଫ କରିଥିଲା ସିଟି ପୋଲିସ । ଦେଶ ବ୍ୟାପି ଡାକ୍ତରଙ୍କ ଆନ୍ଦୋଳନକୁ ଦେଖି କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ସ୍ୱତଃ ପ୍ରଵୃତଃ ନିର୍ଦେଶ ଦେଇଥିଲେ । ୫୦ ଜଣଙ୍କ ସାଖ୍ୟ ପ୍ରମାଣ ଓ ୫୭ ଦିନର କ୍ୟାମେରା ସାମ୍ନାରେ ଟ୍ରାଏଲ ପରେ ସେସନ୍ସ ଜଜ ଅନିର୍ବାଣ ଦାସ ଆସମୀ ଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରା ୬୪,ଧାରା ୬୬, ଏବଂ ୧୦୩ (୧)ଅନୁଯାୟୀ ଆଜୀବନ ସଜାର ଦଣ୍ଡ ଶୁଣାଇଥିଲେ । ଏସବୁ ଦଫାରେ ପ୍ରମାଣିତ ଜଣେ ଦୋଷୀଙ୍କୁ ଫାଶୀ ମଧ୍ୟ ହୋଇପାରିଥାନ୍ତା । କିନ୍ତୁ ଅତିରିକ୍ତ ଜିଲ୍ଲା ଜଜ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇବା ସହିତ ପଶ୍ଚିମବଙ୍ଗ ସରକାର ପୀଡିତଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରିବାକୁ ନିଜ ରାୟରେ କହିଛନ୍ତି । ସେପଟେ କୌଣସି ଅନୁକମ୍ପା ରାଶି ନେବାର ନାହିଁ ବୋଲି ପିଡୀତଙ୍କ ପିତାମାତା କହିଛନ୍ତି । ପୀଡିତାଙ୍କ ପରିବାର ଚାହୁଁଥିଲେ ଅଭିଯୁକ୍ତଙ୍କୁ ଫାଶୀ ମିଳୁ । ସିବିଆଇ ମଧ୍ୟ ଫାଶୀ ପାଇଁ ଯୁକ୍ତି ଉପସ୍ଥାପିତ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ ଆଗରେ ମଧ୍ୟ ଏହାକୁ ନେଇ ସେକିଛନ୍ତି ରାଜନୀତିର ରୋଟୀ । କହିଛନ୍ତି ଆମ ହାତରୁ ଛଡାଇ ନେଇ ସିବିଆଇ ହାତରେ ମାମଲା ଦିଆଯିବା ଠିକ ନଥିଲା । ପଶ୍ଚିମବଙ୍ଗ ପୋଲିସ ହୋଇଥିଲେ ସଞ୍ଜୟ ପାଇଥାନ୍ତା ଫାଶୀ । ଏବେ ଏହାକୁ ନେଇ ଉପର କୋର୍ଟରେ ଆବେଦନ ହେବ କି ନାହିଁ ଅଲଗା କଥା । କିନ୍ତୁ ଏକଥା ସତ ଯେ ଅଭୟା ମାନଙ୍କୁ ଏଯାଏଁ ମିଳିପାରିନାହିଁ ନ୍ୟାୟ । ନ୍ୟାୟ ମିଳିବା ଆଗରୁ କିଏ ଆଖି ବୁଜୁଛି ତ ଆଉ କିଏ ଉଚିତ ନ୍ୟାୟ ପାଇବାରୁ ହେଉଛି ବଂଚିତ । ନ୍ୟାୟ ଦୃଷ୍ଟାନ୍ତ ମୂଳକ ହେଉନଥିବାରୁ ଏଭଳି ପାପ ପାଇଁ ବଢୁଛି ସାହସ ।