ପଶ୍ଚିମବଙ୍ଗର ଚିତ୍ତରଞ୍ଜନରେ ବିତିଥିଲା ଶୈଶବ । ପରେ ସେ ନିଜ ଜନ୍ମମାଟି ଝାରଖଣ୍ଡର ଜାମତରାକୁ ଫେରି ଗ୍ରହଣ କରିଥିଲେ ବିଦ୍ୟାଳୟ ଶିକ୍ଷା । ପିତାମାତା ସରକାରୀ ଚାକିରୀ କରୁଥିବାରୁ ବାରମ୍ବାର ବିଦ୍ୟାଳୟ ବଦଳାଇ ପାଠପଢୁଥିଲେ ତରୁଣୀ ପାଣ୍ଡେ । ପିଲାଟି ଦିନରୁ ସେ ଡାକ୍ତର ହେବାର ସ୍ବପ୍ନ ଦେଖୁଥିଲେ । ସେଥିପାଇଁ ସେ ବେଶ ଶୃଙ୍ଖଳିତ ଭାବେ ଅଧ୍ୟୟନ କରିବା ସହିତ ଆଗକୁ ବଢ଼ୁଥିଲେ । ଯୁକ୍ତଦୁଇ ପରେ ସେ ମେଡିକାଲ ପ୍ରବେଶିକା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଅପ୍ରତ୍ୟାଶିତ ଭାବେ ତରୁଣୀଙ୍କ ଜୀବନରେ ଆସିଲା ଏକ ଝଡ଼ । ଏକ ଘରୋଇ ଦୁର୍ଘଟଣା ତରୁଣୀଙ୍କ ଜୀବନର ମୋଡ଼ ବଦଳାଇଦେଲା । ହଟାତ ତରୁଣୀଙ୍କ ଭିଣୋଇଙ୍କ ମୃତ୍ୟୁ ଘଟିଲା । ଭଉଣୀ ପାଇଁ ପରିବାର ପେନସନ ,ଅନୁକମ୍ପା ରାଶି ,ବୀମା ସମେତ ଅନ୍ୟାନ୍ୟ ସୁବିଧା କରାଇଦେବା ପାଇଁ ତରୁଣୀ ଭଉଣୀଙ୍କୁ ସାଥିରେ ନେଇ ବିଭିନ୍ନ ଅଫିସକୁ ଚକ୍କର କାଟିଲେ । ଏହି ଅଭିଜ୍ଞତାରୁ ସେ ଜାଣିଲେ ଯେ ଆଇ ଏ ଏସ ପଦବୀର କେତେ ରହିଛି ଗୁରୁତ୍ୱ। କାମ କରିସାରିବା ବେଳେକୁ ସେ ଡାକ୍ତରୀ ପଢିବାକୁ ମନରୁ ଭୁଲି ଆଇଏଏସ ହେବାର ଦେଖିଥିଲେ ସ୍ବପ୍ନ । ଇଗ୍ନୋରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିବା ସହିତ ୨୦୨୨ରେ ୟୁପିଏସସି ପରୀକ୍ଷା ଦେଲେ ଓ ସଂରକ୍ଷଣ ବର୍ଗରେ ୧୪ ତମ ସ୍ଥାନରେ ରହି ନୂଆ ରେକର୍ଡ ରଚିଲେ । ତରୁଣୀ ମାତ୍ର ୪ ମାସର ପ୍ରସ୍ତୁତିରେ ହୋଇଥିଲେ ସଫଳ । ଏଥିପାଇଁ ସେ କୌଣସି କୋଚିଂ କେଉଁଠୁ ନେଇନଥିଲେ । ୟୁଟ୍ୟୁବକୁ ଗୁରୁ କରି ଆରମ୍ଭ କଲେ ପ୍ରସ୍ତୁତି । ପ୍ରଥମ ପ୍ରୟାସରେ ଭଲସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ ।
।