କଅଁଳ ହାତରେ ସେ ରୟାଲ ଇନଫିଲଡ ଭଳି ଭାରିଗାଡି ମରାମତି କରନ୍ତି । ନିଜ ଗ୍ୟାରେଜରେ କାମ କରି ଅତିରିକ୍ତ ଆୟ କରିବା ସହିତ ଜାରିରଖିଛନ୍ତି ପାଠପଢ଼ା । ତାଙ୍କର ଏଭଳି ଯାତ୍ରା ଏକ ପ୍ରେରଣାଦାୟକ ଉଦାହରଣ, ଯାହା ଦରିଦ୍ରତା ଓ ସାମାଜିକ ବାଧାକୁ ଅତିକ୍ରମ କରି ନିଜର ପରିବାରର ସହାୟକ ଭାବେ ତାଙ୍କୁ ଆଗକୁ ନେଇଛି । ମହାରାଷ୍ଟ୍ରର ଏକ ଛୋଟ ସହରରୁ ଆସିଥିବା କାର୍ତ୍ତିକାଙ୍କ ବୟସ ୧୯ ବର୍ଷ । ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେବେଠୁ ସେ ଅଧ୍ୟୟନ ସହିତ ଜାରି ରଖିଛନ୍ତି ବାଇକ ମରାମତି ଭଳି ମେହନତ ଦରକାର ପଡୁଥିବା ବୃତ୍ତି । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହେବା କାରଣରୁ, ସେ ନିଜର ପିତାଙ୍କ ସହଯୋଗରେ ରୟାଲ ଇନଫିଲଡ (ରାୟଟର) ବାଇକ ମଡେଲ୍ଗୁଡ଼ିକର ମରାମତିର କାମ ଶିଖିଛନ୍ତି । ଗାଡି ମରାମତି ପାଇଁ ସେ କୌଣସି ତାଲିମ ନେଇନାହାନ୍ତି ନିଜ ବାପାଙ୍କ କାମ ଦେଖି ଦେଖି ଶିଖିଛନ୍ତି । ଗାଡିର ସବୁ ଅଂଶକୁ ଖୋଲିଦେଇ ପୁଣି ଯୋଡ଼ିଦେବାର କୌଶଳ ସେ ଆୟତ୍ତ କରିଛନ୍ତି ।
କାର୍ତ୍ତିକାଙ୍କ ଘର ମହାରାଷ୍ଟ୍ରର ଔରାଙ୍ଗବାଦ ନିକଟସ୍ଥ ଛୋଟ ଏକ ଗାଁ ଗୋରେଖେଡାରେ । ଜୀବିକା ପାଇଁ ତାଙ୍କ ବାପା ଔରାଙ୍ଗବାଦ ଚାଲିଆସିଥିଲେ । ଛୋଟ ଗ୍ୟାରେଜ ଖୋଲି ସେ ପରିବାର ପ୍ରତିପୋଷଣ କରୁଥିବା ବେଳେ କାର୍ତ୍ତିକା ପିତାଙ୍କୁ ସହଯୋଗ ପାଇଁ ଗ୍ୟାରେଜରେ ବସିବା ସହିତ କାମ ଶିଖିଯାଇଥିଲେ । ଏବେ ସେ ସ୍ଥାନୀୟ ଏକ କଲେଜରେ ପାଠ ପଢିବା ସହିତ କରୁଛନ୍ତି ରୋଜଗାର ।
ଏହି କ୍ଷେତ୍ରରେ ମହିଳାମାନଙ୍କର ଉପସ୍ଥିତି ଅଧିକାଂଶ ସମୟରେ କମ୍ ଦେଖାଯାଏ, କାରଣ ଏହା ଶାରୀରିକ ଶ୍ରମ ଓ ପୁରୁଷପ୍ରଧାନ ବୃତ୍ତି ଭାବେ ପରିଚିତ । କିନ୍ତୁ କାର୍ତ୍ତିକା ନିଜର ନିଷ୍ଠା ଓ କୁଶଳତାରେ ବୁଲେଟ୍ର ସମସ୍ତ ଭାଗ ଖୋଲିବା ଠାରୁ ଆରମ୍ଭ କରି ଯୋଡିବା ଯାଏଁ ମରାମତି କରିପାରନ୍ତି । ସେ ନିଜର ପରିବାରର ଜୀବିକା ନିର୍ବାହରେ ସାହାଯ୍ୟ କରନ୍ତି ଏବଂ ପାଠପଢ଼ାରେ ମଧ୍ୟ ଭଲ କରିବାକୁ ଚେଷ୍ଟା କରନ୍ତି । 'ମହାରାଷ୍ଟ୍ରର ଛୋଟ ବୁଲେଟ୍ ରାଣୀ' ଭାବେ ପରିଚିତ କୀର୍ତ୍ତିକା ନିଜର ଭବିଷ୍ୟତ ପାଇଁ କେବଳ ସ୍ୱପ୍ନ ନୁହେଁ, ବାସ୍ତବତାକୁ ନେଇ ଆଗକୁ ବଢୁଛନ୍ତି ।