ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଛି ଆମର ବୋଇତ ବନ୍ଦାଣ ପର୍ବ । ଏହି ପର୍ବରେ ସାମିଲ ହୋଇ ଓଡ଼ିଆ ପରିବାର ଗୁଡିକ ଜଳାଶୟ ମାନଙ୍କରେ ଭସାଇ ଥାଆନ୍ତି ସୋଲ ,କାଗଜ ଓ କଦଳୀ ପାଟୁଆରେ ନିର୍ମିତ ଡ଼ଙ୍ଗା । ପର୍ବରେ ବ୍ୟବହୃତ ଡ଼ଙ୍ଗା ଏବେ ଅନେକଙ୍କ ପାଇଁ ପାଲଟିଛି ଜୀବିକାର ଜରିଆ । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଜଣେ କଲେଜ ଛାତ୍ରୀ ରଶ୍ମି ବେହେରା ସୋଲ ଡ଼ଙ୍ଗାକୁ ନେଇ ଦେଖୁଛନ୍ତି ସୁନେଲି ସ୍ବପ୍ନ । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣକୁ ଦୃଷ୍ଟିରେ ରଖି ସେ ନିଜ ଭାଇଙ୍କ ସହଯୋଗରେ ସୋଲକୁ ଦେଉଛନ୍ତି ଡ଼ଙ୍ଗାର ରୂପ । ଡ଼ଙ୍ଗା ବିକ୍ରିଲବ୍ଧ ଅର୍ଥକୁ ସଂଚୟ କରି ସେ ଉଚ୍ଚ ଶିକ୍ଷାରେ ଖର୍ଚ୍ଚ କରିବା ସ୍ଥିର କରିଛନ୍ତି । ଯେଉଁ ବୟସରେ ପିଲାମାନେ ସାଙ୍ଗସାଥି ,ବୁଲାବୁଲି ଓ ମନୋରଞ୍ଜନକୁ ପ୍ରାଥମିକତା ଦେଇଥାନ୍ତି ସେହି ବୟସରେ ରଶ୍ମି ଡ଼ଙ୍ଗାର ପ୍ରତିକୃତି ତିଆରି କରି ନିଜ ଜୀବନ ସାଗରରେ ଭବିଷ୍ୟତର ଡ଼ଙ୍ଗାକୁ ବାହି ନେବାର କାମରେ ଲାଗିଛନ୍ତି । ରଶ୍ମିଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଉଦାହରଣ ।
ନାନା ଆକାରର ଡ଼ଙ୍ଗା ତିଆରିରେ ରଶ୍ମିତା ମନୋନିବେଶ କରିଥିବା ବେଳେ ସହଯୋଗ କରୁଛନ୍ତି ତାଙ୍କ ମା ଓ ଭାଇ । ପୂର୍ବରୁ ଏ ବୃତ୍ତି ତାଙ୍କ ପରିବାରରେ ଥିଲା । ତାଙ୍କ ବାପା ,ମା ଏ କାମ କରୁଥିଲେ । ଏବେ ଏହି କାମରେ ଆଗ୍ରହ ଦେଖାଇଛନ୍ତି ରଶ୍ମିତା । ଉତ୍କଳୀୟ ପରମ୍ପରାରୁ ସେ ନିଜ ଜୀବିକାକୁ ବାଛିଛନ୍ତି । ବିଭିନ୍ନ ଆକାରର ଅନେକ ଡ଼ଙ୍ଗା ସେ ପ୍ରସ୍ତୁତ କରିସାରିଲେଣି । ଋତୁ ଓ ପର୍ବ ଭିତ୍ତିକ ଏହି ଜୀବିକା ତାଙ୍କୁ ଆଶାବାଦୀ କରାଇଛି । ରଶ୍ମିଙ୍କ ବାପା ସହରର ରାସ୍ତା ପାର୍ଶ୍ୱରେ ଫାଷ୍ଟଫୁଡ ବିକୁଥିବା ବେଳେ ମା ହେଉଛନ୍ତି ଗୃହିଣୀ । ସେମାନଙ୍କୁ ସହଯୋଗ କରିବା ଦିଗରେ ରଶ୍ମିତାଙ୍କ ଏହି ଡ଼ଙ୍ଗା କାରିଗରୀ କ୍ଷୁଦ୍ର ଅଥଚ ପ୍ରସଂଶନୀୟ ପଦକ୍ଷେପ । ଭବିଷ୍ୟତରେ ବିଏଡ଼ କରିବାର ସ୍ବପ୍ନ ଦେଖୁଥିବା ରଶ୍ମିତା ପିଲାଦିନରୁ କଳା ପ୍ରତି ରଖି ଆସିଛନ୍ତି ରୁଚି । ଏହି ରୁଚି ତାଙ୍କୁ ଆଗକୁ ନେବାରେ ଯେ ସହାୟକ ହେବ ଏହା ନିଃସନ୍ଦେହ ।