ଦକ୍ଷିଣ ଓଡ଼ିଶାର ଛୋଟ ଏକ ସହର କୋରାପୁଟ । ଜଙ୍ଗଲ ,ପାହାଡ଼ ,ଆଦିବାସୀ ଓ ଜୈବ ବିବିଧତା ପାଇଁ ଏହାର ଖ୍ୟାତି ରହିଛି । ଦିନ ଥିଲା ଏହି ଜିଲ୍ଲାରେ ନ ଥିଲା ପରିବହନ ଓ ଜୀବିକା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା । ତା ସହିତ ରହିଥିଲା ଲାଲ ହିଂସାର ଭୟ । ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି । ଅଧିକରୁ ଅଧିକ ଆଦିବାସୀ ମହିଳା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରୁ ମୁହଁ ଫେରାଇ କଫି ବଗିଚାରେ ରୋଜଗାର ପାଇଛନ୍ତି । ପୁଟାସିଲ ,ଦେଓମାଳୀ ,ଓ ସୀମାନ୍ତ ଆରକୁଭେଲି ଅଂଚଳରେ କଫି ଚାଷ ମହିଳା ମାନଙ୍କ ନିୟୋଜନ ଓ ଉପାର୍ଜନରେ ବେଶ ସହାୟ ହୋଇଛି । ଜିଲ୍ଲାରେ କଫି ଚାଷ ପୂର୍ବରୁ ଆଦିବାସୀ ମହିଳା ସାମାଜିକ ଓ ସାଂସ୍କୃତିକ ସ୍ୱାଧୀନତା ଭୋଗ କରୁଥିଲେ ହେଁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନଥିଲେ । କାମ ମିଳୁନଥିବାରୁ କେବେ ନିର୍ମାଣ ଶ୍ରମିକତ କେବେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲ ଭିତରକୁ ଯାଇ ଦିନକୁ ଅତି ବେଶୀରେ ଏକ ଡଲାରରୁ କମ ଆୟ କରୁଥିଲେ । ଫୁଲଝାଡୁ ,ତେନ୍ତୁଳି ,କରଞ୍ଜ ମଞ୍ଜି ଆଦି ସଂଗ୍ରହ ଋତୁକାଳୀନ ଥିଲା । ଜିଲ୍ଲାରେ କଫି ଚାଷ ବଢିବା ସହିତ ଅଧିକରୁ ଅଧିକ ମହିଳାଙ୍କୁ ମିଳିଛି କାମ । ଜିଲ୍ଲାର ସେମିଲିଗୁଡା ,ନନ୍ଦପୁର ,ପଟାଂଗୀ ,ଦେଓମାଳୀ ପାଦଦେଶରେ ଶହ ଶହ ଏକର କଫି ବଗିଚାରେ କଫି ମଞ୍ଜି ତୋଳିବା ,ଶୁଖାଇବା ଓ ଅନ୍ୟାନ୍ୟ କାମ କରିବାରେ ମୁଖ୍ୟତଃ ମହିଳା ହିଁ କାମ କରିଥାନ୍ତି ।
କୋରାପୁଟ ଠାରୁ ୫୦ କିଲୋମିଟର ଦୂର କେଳାରରେ ରହନ୍ତି ୭୬ ବର୍ଷର ନିର୍ମଳା ରେଡ୍ଡୀ । ନିର୍ମଳା ୫୫ ଏକର ଜମିରେ କରିଛନ୍ତି କଫି ଚାଷ । ଧୂଳି ,କାଦୁଅ ,ଜଙ୍ଗଲୀ ରାସ୍ତାରେ ପଡୁଥିବା ଏହି ଗାଁରେ ନିର୍ମଳା ଉତ୍ପାଦନ କରୁଛନ୍ତି ବିଶ୍ୱର ସବୁଠୁ ଉଚ୍ଚମାନର କଫି ଆରବିକା କଫି । ଗୋଲମରିଚ ,ହଳଦୀ ଆଭାକୋଡା ସହିତ କଫି ଉତ୍ପାଦନ ସହିତ ବ୍ୟବସାୟ ପାଇଁ ସେ ମଧୁ ଏଗ୍ରୋ ନାଁରେ ଏକ କମ୍ପାନୀ ପଞ୍ଜିକରଣ କରିଛନ୍ତି । ଏହି କମ୍ପାନୀରେ ସମସ୍ତ କର୍ମଚାରୀ ମହିଳା । ଦୁଇଜଣ ୱାଚମ୍ୟାନ ଓ ଡ୍ରାଇଭରଙ୍କୁ ବାଦ ଦେଲେ ସମସ୍ତ ୪୦ କର୍ମଚାରୀ ମହିଳା । ନିର୍ମଳାଙ୍କ ଝିଅ ରାଜି ମଧ୍ୟ କଫି ବଗିଚାରେ କାମ କରୁଛନ୍ତି । ନନ୍ଦୀ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ହେଉଛନ୍ତି ଆରକୁ କଫିର ମାଲିକ । ତାଙ୍କର କହିବା କଥା ହେଲା କଫି ମଞ୍ଜି ତୋଳିବା ଠାରୁ ପ୍ରକ୍ରିୟା ଓ ପ୍ୟାକ କରିବା ଯାଏଁ ଯେଉଁ ଶ୍ରମ ଦରକାର ପଡେ ସେଥିରେ ମହିଳା କର୍ମଚାରୀ ବହୁତ ଭଲରେ କରିଥାନ୍ତି । ତେଣୁ ଚା ବଗିଚା ଭଳି କଫି ବଗିଚା ମଧ୍ୟ ମହିଳାଙ୍କୁ ରୋଜଗାର ଦେବାରେ ଅଗ୍ରଣୀ ଭୂମିକା ନେଇଛି ।