ଜୀବିକା ପାଇଁ ଲଙ୍କା ଚାଷକୁ ବାଛି ସଫଳ ହୋଇଛନ୍ତି ଆଦିବାସୀ ମହିଳା । ସାଥ ଦେଇଛି ନବରଙ୍ଗପୁରର ମାଟି ,ପାଣି ଆଉ ପବନ । ଶ୍ରମ ଓ ସ୍ବେଦର ମିଳିଛି ମୂଲ୍ୟ । ଗୋଟିଏ ଋତୁରେ ଲକ୍ଷେ ଟଙ୍କାର ଲଙ୍କା ଅମଳ କରି ଅନ୍ୟପାଇଁ ହୋଇଛନ୍ତି ପ୍ରେରଣା । ଦୁଇବର୍ଷ ତଳେ ମକା ଚାଷ କରୁଥିଲେ ନବରଙ୍ଗପୁର ବ୍ଲକ ବାରମାସୀ ଗାଁର ତୁଳାବତୀ ମାଝୀ । ଦୁଇବର୍ଷ ତଳେ ସ୍ଥାନୀୟ ଉଦ୍ୟମ କୃଷି ଅଧିକାରୀ ତାଙ୍କୁ ଲଙ୍କା ଚାଷ କଥା କହିଲେ । ସାର ,ଔଷଧ ଓ କୀଟନାଶକ ପାଇଁ ସହାୟତା ମିଳିବ ବୋଲି ଭରସା ଦେଲେ । ତୁଳାବତୀଙ୍କ ସ୍ୱାମୀ ଜୟରାମ ମାଝୀ ମଧ୍ୟ ନିଜର ସମ୍ମତି ଦେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କଲେ । ୨୦୨୩ ବର୍ଷରେ ତୁଳାବତୀ ୧୦ ସେଣ୍ଟ ଜମିରୁ ଆରମ୍ଭ କରିଥିଲେ ଲଙ୍କା ଚାଷ । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହଯୋଗ ତୁଳାବତୀଙ୍କୁ ଉତ୍ସାହିତ କରିଥିଲା । ଆଶା ଠାରୁ ଅଧିକ ଆୟ ହେବା ଫଳରେ ଚଳିତ ବର୍ଷ ଏକ ଏକର ଜମିରେ ତୁଳାବତୀ ଓ ତାଙ୍କ ସ୍ୱାମୀ ଜୟରାମ କରିଛନ୍ତି ଲଙ୍କା । ୩/୪ ଥର ଅମଳ ହୋଇ ବିକ୍ରି ସରିଛି । କ୍ଷେତରେ ଫସଲ ଆଉ ୩/୪ ମାସ ରହିବ । ଲଙ୍କା ଅମଳ ଋତୁ ସରିବା ବେଳକୁ ଲକ୍ଷେରୁ ଅଧିକ ଆୟ ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି ଏହି ଦମ୍ପତ୍ତି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ସହଯୋଗ କରିଥିବାରୁ ସରକାରଙ୍କୁ ସେମାନେ ଜଣାଇଛନ୍ତି ଧନ୍ୟବାଦ ।
ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା । ପତ୍ରର ରଙ୍ଗ ସହିତ ଏକାକାର ପାଲଟିଛି ଫଳ । ରଙ୍ଗ ,ଆକାର ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଅଧିକ ରାଗ ଗୁଣ ପାଇଁ ସୃଷ୍ଟି କରିଛି ଚାହିଦା । ଏବେ କିଛିଦିନ ହେଲା ଚାଲିଛି ଅମଳ । ତୁଳାବତୀ ଓ ଜୟରାମ ଦୁହେଁ ମିଶି ଦୈନିକ ଅଳ୍ପ ଅଳ୍ପ ଲଙ୍କା ତୋଳି ବଜାର ପାଇଁ ପ୍ରସ୍ତୁତ କରନ୍ତି । ଗତବର୍ଷ ୩୨ କ୍ୟୁଣ୍ଟାଲ ଲଙ୍କା ଅମଳ ହୋଇଥିଲା । କେଜି ପ୍ରତି ୩୦ ଟଙ୍କା ଦରରେ ବିକ୍ରିକରି ୯୬ ହଜାର ଆୟ କରିଥିଲେ ଏହି ଦମ୍ପତ୍ତି । ଚଳିତ ବର୍ଷ ୧୬ କ୍ୟୁଣ୍ଟାଲ ବିକ୍ରି ସରିଥିବା ବେଳେ ଆଗାମୀ ତିନିମାସ ଯାଏଁ ରହିବ ଅମଳ । ଶେଷ ସୁଦ୍ଧା ଲକ୍ଷେରୁ ଅଧିକ ଆୟ ହୋଇପାରିବ ବୋଲି ରହିଛି ଆକଳନ । ହେକ୍ଟର ପିଛା ୨୮ ହଜାର ସବସିଡି ଏହି ଲଙ୍କା ଚାଷୀଙ୍କୁ ଦିଆଯାଇଛି ଓ ଆଗକୁ ବୁନ୍ଦା ଜଳସେଚନ ସୁବିଧା ଦିଆଯିବ ବୋଲି କହିଛନ୍ତି ଉଦ୍ୟାନ କୃଷି ଉପ ନିର୍ଦେଶକ ଚନ୍ଦ୍ର ମୋହନ ସାହୁ । ଲଙ୍କା ଚାଷରୁ ସଫଳ ହୋଇଛନ୍ତି ନବରଙ୍ଗପୁରର ଏହି ଚାଷୀ ଦମ୍ପତ୍ତି । ଗୋଟିଏ ଋତୁରେ ଲକ୍ଷାଧିକ ଆୟ ସେମାନଙ୍କୁ ଦେଇଛି ଆତ୍ମ ବିଶ୍ୱାସ ସହିତ ସମ୍ମାନ ।