ଖାଦ୍ୟ ପ୍ରକ୍ରିୟାକରଣ ପାଲଟିଛି ଆୟର ମାଧ୍ୟମ । ଏଥିରୁ ଅତିରିକ୍ତ ରୋଜଗାର କରିବା ସହିତ ଉଦ୍ୟୋଗୀ ଭାବେ ନୂଆ ପରିଚିତି ସୃଷ୍ଟି କରିଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗାଁର ଗୀତାଞ୍ଜଳି କର । ଗୀତାଞ୍ଜଳି ବୈଦ୍ୟନାଥ ଫୁଡସ ନାଁରେ ଆରମ୍ଭ କରିଛନ୍ତି ଏକ ଗୃହ ଉଦ୍ୟୋଗ । ପୂର୍ବରୁ ତାଙ୍କ ସ୍ବାମୀଙ୍କ ଥିଲା ଗାଁରେ ଏକ ଦୋକାନ । ନିଜ ଦୋକାନ ପାଇଁ ଗୀତାଞ୍ଜଳି କରିଥିବା ଅଳ୍ପ କିଛି ରାଶି ଲଡୁ ଗ୍ରାହକଙ୍କ ପସନ୍ଦ ହେବା ପରେ ଏହାକୁ ବଢାଇବା ପାଇଁ ସେ ଅଂଟା ଭିଡ଼ିଲେ ଓ ସଫଳ ହେଲେ । ରାଶି ଲଡୁ ,ବାଦାମ ଲଡୁ ଛତୁଆ ସାଙ୍ଗକୁ ବଡି,ଆରିଷା ପିଠା ଓ ଗଜା ତିଆରି କରି ବଜାରକୁ ଯୋଗାଇବାରେ ଲାଗିଲେ । ଚାହିଦା ବଢିବା ପରେ ସେ ଏକାକୀ ଏସବୁ କାମ କରିବା ପରିବର୍ତ୍ତେ ଆଖପାଖର ମହିଳାଙ୍କ ସହଯୋଗ ଲୋଡିଲେ । ନିଜ ନିଜର ଘର କାମ କରିସାରିବା ପରେ ୧୦ରୁ ଅଧିକ ମହିଳା ବୈଦ୍ୟନାଥ ଫୁଡସରେ କାମ କରିବାକୁ ଆଗ୍ରହୀ ହେଲେ । ଏବେ ଏଠାରୁ ଉତ୍ପାଦିତ ଖାଦ୍ୟ ଜିଲ୍ଲା ଓ ଜିଲ୍ଲା ବାହାରେ ନିଜସ୍ୱ ପ୍ରତିଛବି ସୃଷ୍ଟି କରିବାରେ ସକ୍ଷମ ହୋଇଛି ।
ଗୀତାଞ୍ଜଳିଙ୍କ ଘର ପାଲଟିଛି ପିଠା ,ମିଠା ଛତୁଆ ଓ ବଡି ତିଆରିର ଅଣୁଉଦ୍ୟୋଗ । ଏକାଧିକ ମହିଳା ନିଜ ଘର କାମ ସାରି ଏଠାରେ ପହଂଚିବା ପରେ ଆରମ୍ଭ ହୁଏ ଉତ୍ପାଦନ । କମ ପୁଞ୍ଜି ନିବେଶରେ ସ୍ଥାନୀୟ ବଜାରକୁ ଆଖିରେ ରଖି ହାତରେ ତିଆରି ହୁଏ ନାନା ପ୍ରକାର ଖାଦ୍ୟ ସାମଗ୍ରୀ । ରାଶି ,ମାଣ୍ଡିଆ ,ମୁଗ, ଗହମ ,ବାଜରା ଆଦି ଖାଦ୍ୟ ଶସ୍ୟକୁ ପ୍ରକ୍ରିୟା ଓ ପ୍ୟାକେଜିଙ୍ଗ ପରେ କରାଯାଏ ବଜାର ପ୍ରବେଶ । ଏଥିପାଇଁ କାହାର କିଛି ନିର୍ଦ୍ଧିଷ୍ଟ ଦାୟିତ୍ୱ ନ ଥାଏ । ଯାହା ଆଖିକୁ ଯେଉଁକାମ ଦେଖାଗଲା ସିଏ ସେହି କାମକୁ ନିଷ୍ଠାପର ଭାବେ ନିର୍ବାହ କରେ । କିଏ ମୁଗ ,ମାଣ୍ଡିଆ ଗହମ ବାଜରାକୁ ଶୁଖାଇଥାଏ ତ କିଏ ଏଗୁଡ଼ିକୁ ଭାଜି କରିଥାଏ ଗୁଣ୍ଡ । ସମସ୍ତେ ମିଶି ହାତରେ ତିଆରି କରନ୍ତି ରାଶିଲଡୁ ,ବାଦାମଲଡୁ ,ମିଠା ଓ ଲୁଣି ଗଜା ସାଙ୍ଗକୁ ଆରିଷା ପିଠା । ପଲିଥିନ ଓ ପ୍ଲାଷ୍ଟିକ ଡବା ଗୁଡିକରେ କମ୍ପାନୀର ଷ୍ଟିକର ଲଗାଇ ବିକ୍ରି ପାଇଁ ଯାଏ । ଘର ପାଖରେ ଏଭଳି କାମ କରି ମାସିକ ୫ହଜାର ରୋଜଗାର କରୁଥିବା କହିଛନ୍ତି ନିୟୋଜିତ ମହିଳା । ବ୍ୟକ୍ତିଗତ ପ୍ରୟାସରୁ ଆରମ୍ଭ ହୋଇଥିବା କ୍ଷୁଦ୍ର ଏହି ଉଦ୍ୟୋଗ ପ୍ରକାରାନ୍ତରେ ଚାଷୀ , ମହିଳା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ରୋଜଗାର ଦେଇପାରିଛି ।