ଜୀବିକାକୁ ଦୃଢ କରିଛି ଜୈବପୁଞ୍ଜ ବା ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ । ଏହି ପଦ୍ଧତିରେ ମାଛ ଚାଷ କରି ସ୍ଵାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଖଇରପୁଟି ପଂଚାୟତ ଇନ୍ଧନପୁର ଗାଁର ମିନତି ଦଳ ଦେହରା । ମିନତୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ଆର୍ଥିକ ଅନୁଦାନ ତଥା ଏସଓଡ଼ି ଫାର୍ମର୍ସ ପ୍ରାଇଭେଟ ଲିମିଟେଡ଼ର ବୈଷୟିକ ମାର୍ଗଦର୍ଶନରେ ସିଙ୍ଗି ମାଛ ଚାଷ କରି ସାତମାସ ମଧ୍ୟରେ କରିଛନ୍ତି ତିନି ଲକ୍ଷ ଟଙ୍କାର ରୋଜଗାର । ପାରମ୍ପରିକ ଜଳାଶୟରେ କରାଯାଉଥିବା ମାଛଚାଷ ତୁଳନାରେ ଏହା ଅଧିକ ଲାଭଦାୟକ । ସଠିକ ଯତ୍ନ ,ଦାୟିତ୍ୱ ଓ ଦେଖାରଖା କରାଗଲେ ଏହା ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ବେଶ ସଶକ୍ତ କରାଇବ । ମିନତୀ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିବାକୁ ଇଛା ରଖି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଆବେଦନ କରିଥିଲେ ।
ସେ ଜଣେ ମହିଳା ହୋଇଥିବାରୁ ଯୋଜନା ଅନୁଯାୟୀ ୨୫ ଲକ୍ଷ ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପର ୬୦ ପ୍ରତିଶତ ଅର୍ଥାତ ୧୫ ଲକ୍ଷ ଟଙ୍କା ରିହାତି ପାଇଥିଲେ । ମିଳିଥିବା ବଡ଼ ରିହାତିକୁ ଭିତ୍ତି କରି ସେ ଆବଶ୍ୟକୀୟ କୁଣ୍ଡ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସହିତ ଅଗଷ୍ଟ ମାସରେ ଛାଡିଥିଲେ ଜାଆଁଳ । ଠିକ ସାତ ମାସ ମଧ୍ୟରେ ଜାଆଁଳ ଗୁଡିକ ୨୦୦ ଗ୍ରାମରୁ ଅଧିକ ହୋଇଯିବା ପରେ ଏବେ ଧରାଯିବା ସହିତ ବିକ୍ରି ପାଇଁ କୋଲକାତା ଯାଉଛି । ବଜାରରେ ରହିଛି ଏହି ପ୍ରଜାତିର ମାଛର ଭଲ ଚାହିଦା । କେଜି ପ୍ରତି ଏହାର ଦର ୪୦୦ ରୁ ୫୦୦ ଟଙ୍କା ରହିଛି । ଗୋଟିଏ କୁଣ୍ଡରୁ ପାଖାପାଖି ୨୦୦୦ କେଜି ମାଛ ଧରା ହୋଇଥିବାରୁ ଲକ୍ଷାଧିକ ଟଙ୍କାର ମିଳିବ ଲାଭ । ମିନତୀ ଚାରି ଲକ୍ଷ ପଚାଶ ହଜାର ଲିଟର କ୍ଷମତା ଥିବା ଦୁଇଟି ବଡ କୁଣ୍ଡରେ ଛାଡିଥିଲେ ୪୦ ହଜାର ଜାଆଁଳ । ମାଛ ଗୁଡିକ ବିନା ବାଧାରେ ବଢ଼ିପାରିବା ଭଳି ଦିଆଯାଇଥିଲା ଦୃଷ୍ଟି । ଏସ ଓ ଡ଼ି ଫାର୍ମରସ ପ୍ରାଇଭେଟ ଲିମିଟେଡ଼ର ବୈଷୟିକ ସୁବିଧା ଲୋଡି ସେ ପାଦେ ଅଗ୍ରଗତି କରିଥିଲେ । ଭିତ୍ତିଭୂମି ନିର୍ମାଣ ,କୁଣ୍ଡରେ ମାଛ ଅନୁକୂଳ ପରିବେଶ ସୃଷ୍ଟି ,ପାଣିର ସବୁ ପ୍ରକାର ସୂଚକ ଗୁଡିକର ସନ୍ତୁଳନ, ଜାଆଁଳ ଚୟନ ,ଦେଖାରଖା ଓ ମାଛ ଧରି ବିକ୍ରି କରିବା ଯାଏଁ ଏସ ଓ ଡ଼ି ଦାୟିତ୍ୱ ନେଇଥିଲା । ଏବେ ମିନତିଙ୍କ ଏହି ପ୍ରକଳ୍ପ ଚାଷୀଙ୍କ ପାଇଁ ଖୋଲା ବିଦ୍ୟାଳୟ ।