ଜୀବିକା ଦେଇଛି ନଡ଼ିଆ କତା । କତା ଦଉଡିରେ ପାପୋଛ ତିଆରି କରି ହାତ ଖର୍ଚ୍ଚ ବାହାର କରୁଛନ୍ତି ଗାଁ ମହିଳା । ଦୁଇତିନି ଘଣ୍ଟା ଶ୍ରମ ବିନିମୟରେ କରୁଛନ୍ତି ୨ ରୁ ୩ ହଜାର ରୋଜଗାର । ଗୃହିଣୀରୁ ସ୍ୱରୋଜଗାରୀ ହେବାର ପ୍ରକ୍ରିୟା ଜାରି ରଖିଥିବା ଏହି ସବୁ ମହିଳା ହେଉଛନ୍ତି ଭଦ୍ରଖ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୠତୁଅ ଗାଁର । ଘଟଗାଁ ତାରିଣୀ ଓ ପୁରୀ ଜିଲ୍ଲା ପିପିଲି ଅଂଚଳରୁ ସେମାନେ କିଣିଆଣୁଛନ୍ତି କତା ଦଉଡି । ଦଉଡିକୁ ଲାଲ ଓ ବାଇଗଣୀ ରଙ୍ଗରେ ରଙ୍ଗୀନ କରିବା ସହିତ ବୁଣୁଛନ୍ତି ପାପୋଛ । ଏଥିପାଇଁ କିଣାଯାଇଛି ଲୁହା ଫ୍ରେମ ସାଙ୍ଗକୁ ଆବଶ୍ୟକୀୟ ସରଞ୍ଜାମ । ଘର କାମ ସାରି ସେମାନେ ଏଥିପାଇଁ ଦେଉଛନ୍ତି ଦିନକୁ ଦୁଇ ତିନିଘଣ୍ଟା ସମୟ । ଗୋଟିଏ ପାପୋଛ ତିଆରି ପାଇଁ ୧୫ ମିନିଟ ଲାଗିଥାଏ ।
କତା ରଶିରୁ ପାପୋଛ ତିଆରି ପାଇଁ ସେମାନେ ନେଇଥିଲେ ୪ ମାସିଆ ତାଲିମ । ତାଲିମରୁ ମିଳିଥିବା ଷ୍ଟାଇପେଣ୍ଡକୁ ବ୍ୟବହାର କରି ତିଆରି ହୋଇଥିଲା ଜୀବନ ଜ୍ୟୋତି ପ୍ରଡ୍ୟୁସର ଗ୍ରୁପ । ୧୨ ଜଣ ମହିଳାଙ୍କୁ ନେଇ ଗଠିତ ଏହି ଦଳ ୨୦୨୧ ଠାରୁ ଆରମ୍ଭ କରିଛି କତା ଭିତ୍ତିକ ଉତ୍ପାଦ ଉତ୍ପାଦନ । ଓରମାସ ପକ୍ଷରୁ ୨ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ମିଳିବା ପରେ କଞ୍ଚାମାଲ କିଣି ଗଛିତ ରଖାଯିବା ସହିତ କିଣାଯାଇଛି ଫ୍ରେମ ,ରଙ୍ଗ ,ରଶି,କଇଁଚି ଓ ଅନ୍ୟାନ୍ୟ ସାମଗ୍ରୀ । ରାଜ୍ୟର ବିଭିନ୍ନ ଅଂଚଳରେ ଆୟୋଜିତ ମେଳା ଗୁଡିକରେ ଉତ୍ପାଦ ବିକ୍ରି ପାଇଁ ଓରମାସ ପକ୍ଷରୁ ସୁଯୋଗ ମିଳେ । ମେଳା ଗୁଡିକୁ ଦୃଷ୍ଟି ଦେଇ ତିଆରି ହୁଏ ଅଧିକ ଉତ୍ପାଦ । ଷ୍ଟାଇପେଣ୍ଡ ଅର୍ଥ ଓ ବ୍ୟକ୍ତିଗତ ଚାନ୍ଦାରୁ ଆରମ୍ଭ ହୋଇଥିବା ପାପୋଛ ଶିଳ୍ପ ଏବେ ଧୀରେ ଧୀରେ ବଢୁଛି । ଅଧିକ ନିବେଶ ହେଲେ ଅଧିକ ଉତ୍ପାଦ ଓ ସେହି ଅନୁସାରେ ଅଧିକ ଲାଭ ମିଳିବାର ରହିଛି ଆଶା । ଦିନେ ଆର୍ଥିକ କାରବାର ଠାରୁ କୋଷେ ଦୂରରେ ରହୁଥିବା ମହିଳା ଆଜି ଉତ୍ପାଦକ ଦଳ ଜରିଆରେ ସାମଗ୍ରୀ ତିଆରି ସହିତ କରାଉଛନ୍ତି ବଜାର ପ୍ରବେଶ । ଛୋଟ ପ୍ରୟାସ ଓ କମ ଲାଭ ହେଲେ ହେଁ ଧୀରେ ଧୀରେ ବଢୁଛି ସେମାନଙ୍କ ଆର୍ଥିକ ଶକ୍ତି ସାଙ୍ଗକୁ ସାମାଜିକ ଉନ୍ନତି ।