• Tuesday, April 15, 2025

ଡ୍ରାଗନ ଫ୍ରୁଟର ମିଠା କାହାଣୀ :ଚାଷୀଙ୍କ ପ୍ରେରଣା ପାଲଟିଛନ୍ତି ୫ ମହିଳା

Subhadra Live:Sweet-success-Meet-the-5-women-from-Talpada-village-who-dared-to-be-different-by-cultivating-dragon-fruits

କେନ୍ଦୁଝରର ସୀମାନ୍ତ ଗାଁରେ ବିଦେଶୀ ଫଳ। ଗାଁରେ ପ୍ରଥମ କରି ଡ୍ରାଗନ ଫ୍ରୁଟ ଚାଷ କରି ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ସାହରପଡ଼ା ବ୍ଲକ ତାଳପଡ଼ା ଗାଁର ପାଞ୍ଚ ମହିଳା । ଏହି ମହିଳା ମାନେ ସାହସିକତାର ସହିତ ପାରମ୍ପରିକ ଚାଷ ବଦଳରେ ଗାଁରେ କେବେ କରାଯାଇ ନ ଥିବା ଚାଷ କରି ଆର୍ଥିକ ଦୃଷ୍ଟିରୁ ହୋଇଛନ୍ତି ଲାଭବାନ।

ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭିମକୁଣ୍ଡ ଜଳ ପ୍ରପାତ ଠାରୁ ୨୦ କିଲୋମିଟର ଏବଂ ବାରିପଦା ଠାରୁ ୬୦ କିଲୋମିଟର ଦୂରରେ ଥିବା ସାହାରପଡ଼ା ବ୍ଲକ ତାଳପଡା ଗାଁର ଉମା ମହାନ୍ତ, ସଂଗୀତା ମହାନ୍ତ, ବନିତା ମହାନ୍ତ, ସରସ୍ଵତୀ ମହାନ୍ତ ଏଵଂ ସୁଲୋଚନା ମହାନ୍ତ ଆଦି ପାଞ୍ଚଜଣ ମହିଳା ପୂର୍ବରୁ ପରିବାରର ଖାଦ୍ୟ ଓ ଖର୍ଚ୍ଚ ଯୋଗାଡ ପାଇଁ ପରିବା ଚାଷ କରୁଥିଲେ । କିନ୍ତୁ ଦୀର୍ଘକାଳୀନ ଉଦ୍ୟାନ କୃଷିରେ ଅଧିକ ଲାଭ ହେଉଥିବା ଜାଣିବା ପରେ ବିଦେଶୀ ଡ୍ରାଗନ ଫ୍ରୁଟ ଚାଷ ପାଇଁ ଆଗ୍ରହୀ ହୋଇଥିଲେ । ସାମାଜିକ ସଂଗଠନ ସିୱାଇଏସଡ଼ି, ଡି ଏମ ଏଫ୍, ଏଵଂ ଏପିସି କର୍ମକର୍ତ୍ତାଙ୍କ ଆର୍ଥିକ ତଥା ବୈଷୟିକ ସହାୟତାରେ ୧.୨୦ଏକର ଜମିରେ ଡ୍ରାଗନ ଫ୍ରୁଟ ଚାଷ ଆରଂଭ ହୋଇଥିଲା । ଚାଷ ପୂର୍ବରୁ ଏହି ପାଞ୍ଚ ଆଗ୍ରହୀ ମହିଳାଙ୍କୁ ନେଇ ମା ତାରିଣୀ ପ୍ରଡ୍ୟୁସର ଗ୍ରୁପ ଗଠନ କରାଯାଇଥିଲା । ଜମିର ବିକାଶ ପରେ  ଟିଟିଲାଗଡରୁ ଅଣାଯାଇଥିଲା ୧୭୨୦ ଟି ରେଡ ଭେରାଇଟି ଡ୍ରାଗନ ଫ୍ରୁଟ ଚାରା । ଦୁଇ ଫୁଟ ଗଭୀରରେ ଗାତ ସହିତ ଗଛକୁ ଗଛ ମଧ୍ୟରେ ୧୦ ଫୁଟର ବ୍ୟବଧାନ ରଖାଯାଇଥିଲା । ଚାରୋଟି ଚାରା ପାଇଁ ଗୋଟିଏ ସିମେଣ୍ଟ ଖୁଣ୍ଟ ଏଭଳି ଭାବେ ମୋଟ ୪୩୦ ଖୁଣ୍ଟ ପୋତା ଯାଇଥିଲା। ପ୍ରତିଟି ଗଛ ନିକଟରେ ଦୁଇ ଝୁଡ଼ି ଗୋବର ଖତ, ୫୦ଗ୍ରାମ ଡିଏପି ପ୍ରୟୋଗ କରାଯାଇଥିଲା । ଗଛ ମୂଳରେ ପ୍ରୟୋଗ କରାଯାଇଥିଲା ଉଇମରା ଔଷଧ। ଆବଶ୍ୟକୀୟ ଯତ୍ନ ଓ ଦେଖାରଖା ଫଳରେ ରୋପଣର ୩/୪ମାସ ଭିତରେ ଗଛ ଗୁଡ଼ିକ ୨ ଫୁଟ ଉଚ୍ଚତା ବିଶିଷ୍ଟ ହୋଇପାରିଥିଲା । ଏପ୍ରିଲରୁ ନଭେମ୍ବର ମଧ୍ୟରେ ଗଚ୍ଛ ଗୁଡିକରେ ଆସିଥିଲା ଫୁଲ। ରୋପଣର ୮/୯ମାସ ମଧ୍ୟରେ ଅମଳ ହୋଇଥିଲା ଫଳ। ପ୍ରଥମ ବର୍ଷ ୬୦ରୁ ୭୦କେଜି  ଅମଳ ହୋଇଥିବା ବେଳେ ଦ୍ୱିତୀୟ ବର୍ଷ ୭୦ରୁ ୮୦କେଜି ଫଳ ଉତ୍ପାଦନ କରିଥିଲେ ଏହି ଉତ୍ସାହୀ ମହିଳା। ଚାହିଦା ଥିବାରୁ କେଜି ପ୍ରତି ୨୦୦ଟଙ୍କା ଦରରେ ସ୍ଥାନୀୟ କେନ୍ଦୁଝର ଓ କରଞ୍ଜିଆ ଵଜାରରେ ବିକ୍ରି ହୋଇଥିଲା ସମସ୍ତ ଫଳ । ଏହି ଚାଷ ପାଈଁ ଡିଏମଏଫ୍ ରୁ ୩ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିଥିବାରୁ ଏଭଳି ନୁଆ ପ୍ରକାରର ଚାଷ କରିବା ସହଜ ହୋଇଥଲା । ଯେଉଁ ଜମିରେ ପାରମ୍ପରିକ ପରିବା ଚାଷ କରି ଚାଷୀ କ୍ଷତି ସହୁଥିଲେ ସେହି ଜମିରେ ଡ୍ରାଗନଫ୍ରୁଟ ଚାଷ କରି ଦୁଇଗୁଣ ଅଧିକ ଆୟ କରିବାରେ ସକ୍ଷମ ହୋଇଛନ୍ତି ମା ତାରିଣୀ ଉତ୍ପାଦିକା ଦକ।

ଉଦ୍ୟାନ କୃଷି ଏକ ଲାଭଜନକ ବୃତ୍ତି। ଥରେ ନିବେଶ କଲେ ଲମ୍ବା ସମୟ ଯାଏଁ ଏଥିରୁ କରିହେବ ରୋଜଗାର । କମ ପରିଚାଳନା ଖର୍ଚ୍ଚ ସହିତ ସ୍ଵାଭିମାନ ଓ ସମ୍ମାନ ଜନକ ଜୀବନ  ଜିଇଁବାରେ ଫଳ ଚାଷ ସହାୟକ ହୋଇଥିବା କହିଛନ୍ତି ତାଳପଡ଼ାର ଏହି ସ୍ୱରୋଜଗାରୀ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.