ମଧ୍ୟପ୍ରଦେଶର ଝାବୁଆରେ ରହନ୍ତି ଭୀଲ ସମ୍ପ୍ରଦାୟର ଆଦିବାସୀ । ସ୍ଥାନୀୟ ଭୋଗରିଆ ହାଟରେ ପ୍ରତି ସପ୍ତାହରେ ସେମାନେ ତେଲ ଲୁଣ କିଣିବା ପାଇଁ ଏକାଠି ହୁଅନ୍ତି । କେବଳ ଅର୍ଥନୀତି ନୁହଁ , ସାମାଜିକ ଓ ସାଂସ୍କୃତିକ କାରଣରୁ ଏହି ହାଟ ସେମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଦେଇଥାଏ । ଏହି ହାଟରେ ଆଦିବାସୀ ଜନଜୀବନର ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଥାଏ । ଏଠାରେ ନିଶା ପାନୀୟ ଠାରୁ ଆରମ୍ଭ କରି ହାଣ୍ଡିମାଠିଆ ,ଲୁଗାପଟା ,ଅଳଙ୍କାର ଓ ମାଛ ମାଂସ ବିକ୍ରି ହୋଇଥାଏ । ଦୂର ଦୂର ଗାଁ ମାନଙ୍କରୁ ଏଠାକୁ ଆସୁଥିବା ଭୀଲ ସମ୍ପ୍ରଦାୟର ମହିଳା ମାନେ ପରସ୍ପରକୁ ଭେଟାନ୍ତି । ସୁଖ ଦୁଃଖ ହୁଅନ୍ତି । ଏଠାରେ କନ୍ୟା ବରକୁ ଓ ବର କନ୍ୟା ସନ୍ଧାନ କରେ । ବାହାଘର ପାଇଁ କଥାବାର୍ତ୍ତା ପଡେ । ଆଦିବାସୀ ମହିଳା ମାନେ ଜଙ୍ଗଲଜାତ ଦ୍ରବ୍ୟ ଏଠାକୁ ବିକ୍ରି କରିବାକୁ ଆଣିଥାନ୍ତି । ଏହି ହାଟରେ ସ୍ୱତନ୍ତ୍ର ପ୍ରକାର କପଡା କଣ୍ଢେଇ ମିଳେ ।
ଆଦିବାସୀ ଲୋକଙ୍କ ଚଳଣି ,ସଂସ୍କୃତି ଓ ପରମ୍ପରାର ଥିମକୁ ନେଇ ଆଦିବାସୀ ପାରମ୍ପରିକ କାରିଗର ତିଆରି କରିଥାଏ କଣ୍ଢେଇ । ୯ ଇଂଚରୁ ୫ ଫୁଟ ଉଚ୍ଚର ଏହି ଝାବୁଆ କଣ୍ଢେଇ ଗୋଟି ପ୍ରତି ୧୦୦ ରୁ ଦେଢ଼ଶହ ଟଙ୍କାରେ ବିକ୍ରି ହୋଇଥାଏ । ଉଚ୍ଚତା ଅନୁଯାୟୀ ଏହାର ଡର କମ ବେଶୀ ହୋଇଥାଏ । ୫ ଫୁଟ ରୁ ଅଧିକ ଉଚ୍ଚ ଗୋଟିଏ କଣ୍ଢେଇର ଦାମ ୫୦୦୦ ବା ଏହାଠୁ ଅଧିକ ହୋଇଥାଏ । ସାରା ଦେଶରେ ଦେଶୀ ହାତ ତିଆରି କଣ୍ଢେଇ କମି କମି ଆସୁଥିବା ବେଳେ ଝାବୁଅର କାରିଗର ମାନେ ଦେଇ ଆସୁଛନ୍ତି ଏହାର ସୁରକ୍ଷା । ଭୀଲ ଆଦିବାସୀଙ୍କ ସଂସ୍କୃତି ଓ ରୋଜଗାରକୁ ବଢ଼ିବାରେ ଏହି କଣ୍ଢେଇ କଲାର ରହିଛି ବଡ଼ ଯୋଗଦାନ । ବିଭିନ୍ନ ବର୍ଗ ଓ ବୟସର କାରିଗର ମାନେ ଏହି କଳାକୁ ଜୀବିକା କରିଛନ୍ତି । ତେବେ ସର୍ବାଧିକ ମହିଳାଙ୍କୁ ଏଥିରେ ନିୟୋଜିତ ଥିବା ଦେଖାଯାଉଛି । ପିଢ଼ି ପରେ ପିଢ଼ି ସେମାନେ ଏହି କଳାକୁ ସୁରକ୍ଷା ଦେଇ ଆସିଛନ୍ତି । ଆଧୁନିକତାର ଚାକଚକ୍ୟରେ ଦେଶୀ କଣ୍ଢେଇ ଯେ ଫିକା ପଡ଼ିନାହିଁ ଏହାକୁ ପ୍ରମାଣିତ କରିଛନ୍ତି ଝାବୁଆର ଆଦିବାସୀ ମହିଳା କାରିଗର । ହାଟକୁ ବିପଣନର କେନ୍ଦ୍ରସ୍ଥଳ କରି ନିଜ ପ୍ରୟାସରେ ଦେଶୀ କଣ୍ଢେଇକୁ ଦେଇଛନ୍ତି ନୂଆ ଉଚ୍ଚତା । କଣ୍ଢେଇ ତିଆରି ଓ ବିକ୍ରିରୁ ବେଶ ଭଲ ଦୁଇ ପଇସା ରୋଜଗାର କରୁଥିବାରୁ ସମାଜରେ ବଢିଛି ସେମାନଙ୍କର ସମ୍ମାନ ।