• Tuesday, April 15, 2025

ମନ ମୋହୁଛି ମହିଳା କାରିଗରଙ୍କ ଦୋଳ ବିମାନ

Subhadra Live:Women-artisans-Dola-Biman-is-very-nice

 ଓଡ଼ିଶାର ପୁରପଲ୍ଲୀରେ ଏବେ ଦୋଳଯାତ୍ରାର ଉତ୍ସବ । ରଙ୍ଗର ପର୍ବ ହୋଲି ପାଇଁ ଚାଲିଛି ପ୍ରସ୍ତୁତି । ତେଣେ ଦୋଳ ଗୋବିନ୍ଦଙ୍କ ମେଳଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ହେଉଛି  ବିମାନ ପ୍ରସ୍ତୁତି । କାରିଗରଙ୍କ ଗାଁ ଭାବେ ଜଣାଶୁଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅମୃତମଣି ଗାଁରେ ଦୋଳ ବିମାନର କାମରେ ନିମଗ୍ନ ଶିଳ୍ପୀ । ପିଢ଼ି ପରେ ପିଢ଼ି ଧରି ଏହି ଗାଁର ମହିଳା କାରିଗର ବିମାନ ସାଜସଜ୍ଜାରେ ସିଦ୍ଧହସ୍ତ । ପାଖ ବାସୁଦେବପୁର ବଜାର ଓ ପଡୋଶୀ ପଶ୍ଚିମବଙ୍ଗ କୋଲକାତାରୁ ସରଞ୍ଜାମ ସଂଗ୍ରହ କରି ସେମାନେ ଲାଗିଛନ୍ତି ବିମାନକୁ ସଜେଇବା କାମରେ । ଏହି ଗାଁର ପୁରୁଖା କାରିଗର ଅଜୟ ଦାଶ ଚଳିତ ବର୍ଷ ପାଇଛନ୍ତି ୧୧ ଖଣ୍ଡ ବିମାନର  ସାଜସଜ୍ଜା  କାମ । ଏ କାମ ତାଙ୍କ ବାପା କରୁଥିଲେ । ବାପାଙ୍କ ପରେ ଅଜୟଙ୍କ ପୁରା ପରିବାର ଦୋଳବିମାନର ସୌନ୍ଦର୍ଯ୍ୟ କାମକୁ କରିଛନ୍ତି ଜୀବିକା । ପରିବାରର ମହିଳା ମାନେ ହାତକାମରେ ଚମତ୍କାରିତା ପ୍ରଦର୍ଶିତ କରିଥିବା ବେଳେ ପୁରୁଷ ସଦସ୍ୟ ମାନେ କଞ୍ଚାମାଲ ସଂଗ୍ରହ ,ବଜାର ସଂଯୋଗ ,ଅର୍ଡର ଗ୍ରହଣ ଆଦିରେ ସହାୟତା କରିଥାନ୍ତି । ସୋଲରେ ଅଠା ଦେଇ ସେଥିରେ ରଙ୍ଗ ଓ ଚୁମୁକି ସହିତ ଷ୍ଟୋନ କାମ ମହିଳା କାରିଗର କରିଥାନ୍ତି ।  ଗୋଟିଏ ବିମାନକୁ ସଜେଇବା ପାଇଁ ୨୦ ହଜାର ଟଙ୍କାରୁ ୫୦ ହଜାର ଯାଏଁ ମିଳୁଛି ମୂଲ୍ୟ । ଏହି ଗାଁର ଜଣେ ମହିଳା କାରିଗର ନିବେଦିତା ଦାଶଙ୍କୁ ଏବେ ଫୁରୁସତ ନାହିଁ । ଘର କାମ ସହିତ ତାଳମେଳ ରଖି ସେ ବିମାନର ବିଭିନ୍ନ ଭାଗକୁ ସଜେଇବା ପାଇଁ ସୋଲରେ ତିଆରି କରିଥାନ୍ତି ଫୁଲ । ରଙ୍ଗୀନ ଜରିରେ ଆକର୍ଷଣୀୟ କାମ କରି କାଠଫ୍ରେମରେ ଖଂଜିଥାନ୍ତି । ଏବେ ତାଙ୍କ ହାତରେ ରହିଛି ୯ଟି ବିମାନର ଆନୁସଙ୍ଗିକ ଛୋଟମୋଟ ସଜେଇବା କାମ । ଠାକୁରଙ୍କ କାମ କରି ଆତ୍ମସନ୍ତୋଷ ପାଉଥିବା ବେଳେ ଜୀବିକା ନିଶ୍ଚିତ ହୋଇଥିବା କହିଛନ୍ତି ନିବେଦିତା ।

କାଠର ଫ୍ରେମ ଉପରେ ସୋଲର ସୁନ୍ଦର କାମ । ଜରି,ଚୁମକି,ଥର୍ମୋକୁଲ ସାଙ୍ଗକୁ ଧାନ ,ସୋରିଷ ଓ  ଷ୍ଟୋନ ଖଞ୍ଜି ବିମାନ ଗଢିବାରେ ମାହିର ଶିଳ୍ପୀ । ବର୍ଷ ପରେ ବର୍ଷ ଧରି ବାସୁଦେବପୁର ଆଖପାଖ ଅଂଚଳରେ ଦୋଳ ମେଳଣ ସମୟରେ ହୋଇଥାଏ ବିମାନ ପ୍ରତିଯୋଗିତା । ବିମାନର ସୌନ୍ଦର୍ଯ୍ୟକୁ ନେଇ ଆୟୋଜିତ ପ୍ରତିଯୋଗିତାରେ  ଦେଖିବାକୁ ମିଳେ ଅଦ୍ଭୂତପୂର୍ବ ଉତ୍ସାହ । ଏଥିରେ ହେଉଥିବା ଖର୍ଚ୍ଚ ପ୍ରତି ଭୃକ୍ଷେପ ନ ଥାଏ । ମେଳଣ ପୂର୍ବରୁ ଗାଁ କମିଟି ଅମୃତମଣି ଗାଁକୁ ଆସି ଦେଇଥାନ୍ତି ଅର୍ଡର । ଅର୍ଡର ପାଇବା ପରେ ଜୀବିକା ସହିତ ଦେବ କାର୍ଯ୍ୟକୁ ଶିଳ୍ପୀ ମାନେ ଦେଇଥାନ୍ତି ସମ୍ମାନ । ଗାଁର ଅଧିକାଂଶ ପରିବାର କାଳିଆପଦା ,ବ୍ରାହ୍ମଣୀ ଗାଁ ,ବାଲିଖଣ୍ଡ ଓ ମାର୍କୋଣା ମେଳଣ ପାଇଁ ବିମାନ ଗଢନ୍ତି । ପୁରୁଷାନୁକ୍ରମିକ ଏହି କାମରେ ରହିଛି ମହିଳାଙ୍କ ବଡ଼ ଯୋଗଦାନ ।

ଝାବୁଆ କଣ୍ଢେଇ ଦେଇଛି ଆୟ ସହିତ ସମ୍ମାନ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.