ସଶକ୍ତ ହେବେ ଟ୍ରାନ୍ସଜେଣ୍ଡର । କାହାର ଦୟା ନୁହଁ ବରଂ ଏଣିକି ସ୍ୱାଭିମାନର ସହିତ ଜିଇଁବେ ଜୀବନ । ଟ୍ରେନ ,ବସ କିମ୍ବା ସର୍ବସାଧାରଣ ସ୍ଥାନରେ ଭିକ୍ଷା ନ ମାଗି ଏବେ ସେମାନେ ଆତ୍ମ ନିର୍ଭର ହେବେ । ସେମାନଙ୍କ ପାଇଁ ସମ୍ମାନର ସହିତ ଜୀବିକାର ବାଟ ବାହାର କରିଛି ନୂଆପଡା ଜିଲ୍ଲା ପ୍ରଶାସନ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ । ନୂଆପଡାରେ ଗତ ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୫ ତାରିଖ ୧୦ ଦିନ ବ୍ୟାପି ଆୟୋଜିତ ହୋଇଛି ସ୍ୱରୋଜଗାର ତାଲିମ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୦ ଜଣ କିନ୍ନରଙ୍କୁ ଏକାଠି କରି କରାଯାଇଛି ପ୍ରଶିକ୍ଷିତ । ନିମନ୍ତ୍ରିତ ଅତିଥି ଓ ସାଧନ ବ୍ୟକ୍ତିଙ୍କ ସହିତ ବସି କିନ୍ନର ମାନେ ଶିଖିଛନ୍ତି କିଭଳି ଭାବେ ହୋଇପାରିବେ ସ୍ୱରୋଜଗାରୀ । ୧୦ ଦିନିଆ ଏହି ତାଲିମରେ ସେମାନେ ଅନେକ କିଛି ଶିଖିଛନ୍ତି । ଗୁଜୁରାଣ ମେଣ୍ଟାଇବା ଦିଗରେ ତାଲିମର ବ୍ୟବହାର ସେମାନଙ୍କୁ ଆଗକୁ ନେବ ବୋଲି କହିଛନ୍ତି ନୂଆପଡା ଜିଲ୍ଲାପାଳ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ତାଲିମ ନିର୍ଦେଶକ ।
ଦେଖିବାକୁ ମିଳିଛି ଟ୍ରାନ୍ସଜେଣ୍ଡରଙ୍କ ଉତ୍ସାହ । କର୍ମଶାଳାରେ ମିଳିଥିବା କୌଶଳକୁ କମ ସମୟରେ ଆୟତ୍ତ କରି ଲଗାଇଛନ୍ତି କାମରେ । ୧୦ ଦିନ ଭିତରେ ଅଗରବତୀ,ମହମବତୀ ଠାରୁ ଆରମ୍ଭ କରି ଫିନାଇଲ ,ହ୍ୟାଣ୍ଡ ୱାସ,ହାରପିକ ଓ କରି ଜାଣିଛନ୍ତି ଅଳତା । ଏସବିଆଇ ପକ୍ଷରୁ କଞ୍ଚାମାଲ ଓ ତାଲିମ ସହାୟତା ମିଳିବା ପରେ ସହଜ ହୋଇଛି ଶିକ୍ଷା । ପୂର୍ବରୁ ଆମେ ଜୀବିକା ପାଇଁ ସଂଘର୍ଷ କରୁଥିଲୁ । ଦରକାର ପଡିଲେ ରାସ୍ତାରେ ମାଗି ଯାଚି ଅନ୍ୟ ଦୟାରେ ଚଳୁଥିଲୁ । କିନ୍ତୁ ଏସବୁ ଶିଖିବା ପାଇଁ ସୁଯୋଗ ମିଳିବା ପରେ ଆମର ବଢିଛି ଆତ୍ମବିଶ୍ୱାସ । ଏସବୁ ସାମଗ୍ରୀ ତିଆରି କରି ବ୍ୟବସାୟରେ ସଫଳ ହେବୁ ବୋଲି କହିଛନ୍ତି ପ୍ରଶିକ୍ଷାର୍ଥୀ । ଏଭଳି ତାଲିମ ତୃତୀୟ ଲିଙ୍ଗୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ସହାୟକ ହେବ ବୋଲି କରାଯାଉଛି ଆଶା । ତେବେ ସେମାନଙ୍କ ନିଷ୍ଠା ଓ ଆଗ୍ରହ ହିଁ ଏ ଦିଗରେ ହେବ ନିର୍ଣ୍ଣାୟକ ।