ଧାଡିଧାଡି ହୋଇ ଲାଗିଛି କୋବି । ଫୁଲକୋବି ସହିତ ଛନଛନିଆ ହୋଇ ବଢିଛି ବନ୍ଧା କୋବି । କୋବି ଗୁଡିକର ଆକାର ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । କ୍ଷେତ ସାରା ଫସଲର ସମ୍ଭାର ଦେଖି ପୁଲକିତ ମହିଳା ଚାଷୀ ମନ୍ଦାକିନୀ । ଦିନେ ଏସବୁ ଜମିରେ ଆଦୌ ଚାଷ ହେଉନଥିଲା । ଟାଙ୍ଗରା ମୋରମ ମାଟି ଓ ଜଳ ସଙ୍କଟ ସାଜିଥିଲା ବାଧକ । ଏହାକୁ ଦୃଷ୍ଟିରେ ରଖି ଗାଁର ଶିକ୍ଷିତ ଝିଅ ମନ୍ଦାକିନୀ ଗାଁରେ ଗଢିଲେ ପାଣିପଞ୍ଚାୟତ । ପ୍ରଶାସନ ସହିତ ସମ୍ପର୍କ ଗଢି ବୋରିଂର ସୁବିଧା କରାଇଲେ । ପ୍ରଥମ କରି ଆରମ୍ଭ କଲେ ବାଇଗଣ ଚାଷ । ସେବର୍ଷ ଭଲ ବାଇଗଣ ଅନ୍ୟ ଚାଷୀ ମାନଙ୍କୁ ଆକର୍ଷିତ କଲା । ପାଣିର ସୁବିଧା ହେବା ପରେ ବର୍ଷସାରା ଫସଲ ପାଇଁ ଚାଷୀ ଆରମ୍ଭ କଲା ପ୍ରୟାସ ।
ଏବେ ମନ୍ଦାକିନୀ ସମେତ ଗାଁର ସବୁ ଲୋକ ପୂର୍ଣ୍ଣକାଳୀନ ଚାଷୀ ଭାବେ ନିୟୋଜିତ ସହିତ ହୋଇଛନ୍ତି ସ୍ୱାବଲମ୍ବୀ ।କୋବି ଅମଳ ପରେ ପରେ ଲାଗିବ ବାଦାମ ଆଉ ସୋରିଷ । ପଛକୁ ପଛ ଭେଣ୍ଡି ଆଉ ବାଇଗଣ ଚାଷ ପାଇଁ ରହିଛି ଯୋଜନା । ଏଠାରୁ ଉତ୍ପାଦିତ ଫସଲ ବାରିପଦା ସମେତ ପଡୋଶୀ ପଶ୍ଚିମବଙ୍ଗର ଖଡଗପୁର ଯିବ । ଯୋଜନା କରି ଚାଷ ହେଉଥିବାରୁ ବଜାରକୁ ସଅଳ ଫସଲ ଯାଉଛି । ଆଗୁଆ ବଜାରରେ ପହଁଚୁଥିବାରୁ ଭଲ ଦରରେ
ବିକ୍ରି ହୋଇପାରୁଛି । ଏଭଳି ଭାବେ ପରିବା ଚାଷ କରି ଆର୍ଥିକ ଦୃଷ୍ଟିରୁ ବେଶ ସଶକ୍ତ ହୋଇପାରିଛନ୍ତି ମୟୁରଭଞ୍ଜ ସୀମାନ୍ତ ଗାଁ କାଠସିର୍ଷିର ବାସିନ୍ଦା । କ୍ଷେତର ଗୋଟିଏ ମୁଣ୍ଡରୁ କୋବି ଅମଳ ହେଉଥିବା ବେଳେ ଆଉ ଗୋଟେ ମୁଣ୍ଡରେ ଲତାଜାତୀୟ ଫସଲ ପାଇଁ ବନ୍ଧା ଯାଉଛି ଢେରା । ଖୁଣ୍ଟ ସହିତ ଦଉଡି ବାନ୍ଧି ଅଧିକ ଅମଳର ସ୍ବପ୍ନ ଦେଖୁଚି ଚାଷୀ । ଦିନେ ଯେଉଁ ଗାଁରେ ଗୋଟିଏ ଫସଲ ପାଇଁ ଚିନ୍ତା କରି ହେଉନଥିଲା ଏବେ ସେଠି ହେଉଛି ବର୍ଷସାରା ଚାଷ । ଗୋଟିଏ ଫସଲ ଅମଳ ହୋଇ ବଜାରକୁ ଯିବା ବେଳେକୁ ଜମିରେ ରୋପଣ ହେଉଛି ଅନ୍ୟ ଏକ ଫସଲ । ବର୍ଷସାରା କ୍ଷେତରେ ପନିପରିବା ଚାଷର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କାଠଶିରଷି ଗାଁରେ । ଦିନେ ଏହି ଗାଁରୁ ଲୋକେ କାମ ପାଇଁ ଅନ୍ୟ ଏକ ଜାଗାକୁ ଯାଉଥିଲେ ।ଏବେ ଗାଁରେ ପାଣିପଞ୍ଚାୟତ ସହିତ ବୋରିଂ ସୁବିଧା ହୋଇଯିବାରୁ ମୋରମ ଜମିରେ ଫଳୁଛି ସୁନାର ଫସଲ ।