• Wednesday, January 22, 2025

ସ୍ୱାଭିମାନ ପାଇଁ ଶଙ୍ଖା ବିକୁଛନ୍ତି ପ୍ରେମଲତା

Subhadra Live:an-elderly-couple-of-Praharajpur-village-in-Bhuban-block-of-Dhenkanal-district-are-doing-business-from-village-to-village-to-support-their-family

 ବୟସର ବୋଝ ଠାରୁ ବଳି ଯାଇଛି ସଂସାରର ବୋଝ । ପରିବାର ପ୍ରତିପୋଷଣ ପାଇଁ ପରିଣତ ବୟସରେ ଗାଁ କୁ ଗାଁ ବୁଲି ବ୍ୟବସାୟ କରୁଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ପ୍ରହରାଜପୁର ଗାଁର ବୃଦ୍ଧ ଦମ୍ପତ୍ତି ପ୍ରେମ ଲତା ଗୁରୁ ଓ ତାଙ୍କ ସ୍ୱାମୀ ନୀଳମଣି ଗୁରୁ । ନୀଳମଣିଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ୬୦ ଅତିକ୍ରାନ୍ତ ହୋଇଛି । ଏଭଳି ବୟସରେ ଘରେ ବିଶ୍ରାମ ନେବାର ସୌଭାଗ୍ୟ ତାଙ୍କୁ ଜୁଟିନି । ଆର୍ଥିକ ସଙ୍କଟ ସାଙ୍ଗକୁ  ପୁଅ ଓ ଝିଅ ଉଭୟେ ଦିବ୍ୟାଙ୍ଗ । ଭେଣ୍ଡିଆ ପୁଅ ଝିଅଙ୍କୁ ପ୍ରତିପାଳନ ଦାୟିତ୍ୱ ରହିଛି ପ୍ରେମଲତା ଓ ନୀଳମଣିଙ୍କ କାନ୍ଧରେ । ସେଇଥିପାଇଁ ସକାଳ ହେବା ମାତ୍ରେ ପରିବାରର ଖାଦ୍ୟ ଓ ଖର୍ଚ୍ଚ ପାଇଁ ସେମାନଙ୍କୁ ଘରୁ ଗୋଡ଼ ବାହାର କରିବାକୁ ହେଉଛି । ହାତ ଗୋଡ଼ ଚାଲିବା ଯାଏଁ ଏଭଳି ସଂଘର୍ଷ ଅବ୍ୟାହତ ରହିବ ବୋଲି ନୀଳମଣି କହିଥିବା ବେଳେ ଯୋଗ୍ୟତା ସତ୍ୱେ ଭତ୍ତା ମିଳିନଥିବାର ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରେମଲତା ।

ପୂର୍ବରୁ ଏହି ଦମ୍ପତି ମୁଣ୍ଡରେ ମନୋହରି ସାମଗ୍ରୀର ବୋଝ ମୁଣ୍ଡାଇ ଗାଁକୁ ଗାଁ ବୁଲୁଥିଲେ । ପରେ ପୁରୁଣା ଏକ ଡାଲା ଅଟୋ କିଣି ସେଥିରେ କରୁଛନ୍ତି ବ୍ୟବସାୟ । ଶଙ୍ଖା ,ଚୁଡ଼ି ,ସିନ୍ଦୁର ,ଟିକିଲି , ମାଳି ,ପାଉଁଜି ଓ ରବର ବ୍ୟାଣ୍ଡ ଯାଏଁ ନାନା ପ୍ରକାର ଦ୍ରବ୍ୟ ଅଟୋରେ ନେଇ କରୁଛନ୍ତି ବୁଲା ବେପାର । କାହା ଆଗରେ ଦୁଃଖ କହି ଅନୁକମ୍ପା ଅନୁଦାନ ମାଗିବା ଅପେକ୍ଷା ମେହନତ କରିବାର ଭାଷା ଶିଖିଛନ୍ତି ଏହି ଦମ୍ପତ୍ତି । ପ୍ରେମଲତାଙ୍କ ସୁନ୍ଦର ବ୍ୟବହାରରେ ବାନ୍ଧି ହୋଇଛନ୍ତି ଗାଁର ଝିଅ ବୋହୁ । ଆଖପାଖରେ ବଡ଼ ଦୋକାନ ଥିଲେ ବି ପ୍ରେମନାନୀଙ୍କ ଅଟୋ ରିକ୍ସାର ଅପେକ୍ଷାରେ ଥାଆନ୍ତି ଗ୍ରାହକ । ସ୍ଥାନୀୟ ବାସିନ୍ଦା କହନ୍ତି ପ୍ରହରାଜପୁରରୁ ଆସୁଥିବା ଏହି ଦମ୍ପତ୍ତିଙ୍କ ଜମିବାଡ଼ି ନାହିଁ । ଘରେ ଦୁଇ ପୁଅ ଝିଅ ଦିବ୍ୟାଙ୍ଗ । ଖଟିଲେ ଯାଇ ଯୋଗାଡ଼ କରନ୍ତି ଖାଦ୍ୟ । ଏଭଳି ସ୍ଥିତିରେ ସରକାରୀ ସହାୟତା ମିଳିଲେ ସୁଗମ ହୋଇପାରନ୍ତା ସେମାନଙ୍କ ଜୀବିକା । ପରିଣତ ବୟସରେ ଉପନୀତ ଏହି ଦମ୍ପତ୍ତି ଶାରୀରିକ ଶ୍ରମ ଆଧାରିତ ଆୟରେ ପରିବାର ପ୍ରତିପୋଷଣ କରି ବେରୋଜଗାର ଯୁବକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.