ରୋଜଗାର ଦେଇଛି ମାଛଚାଷ । ୮ କ୍ୟୁଣ୍ଟାଲ ମାଛ ବିକ୍ରି ହୋଇ ସାରିଥିବା ବେଳେ ଏବେ ଆରମ୍ଭ ହୋଇଛି ଜାଆଁଳ ଉତ୍ପାଦନ ସାଙ୍ଗକୁ ବିକ୍ରି । ଏଥିପାଇଁ ଉଭୟ ଆଧୁନିକ ଓ ପାରମ୍ପରିକ ପଦ୍ଧତି ଆପଣାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଧଉରାଖମନ ଗାଁର ଶ୍ରୀ ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଦଳ । ଦଳର ୧୦ ଜଣ ସଦସ୍ୟା ସାମୁହିକ ଭାବେ ବ୍ଲକରେ ପ୍ରଥମ କରି ବାଓଫ୍ଲକ ଉପାୟରେ ମାଛ ଚାଷ କରି ସଫଳ ହୋଇଛନ୍ତି । ସାମୁହିକ ଭାବେ କୁଣ୍ଡରେ ମାଛଚାଷ ଓ ଯାଁଆଳ ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା ଦଳ । ଘର ନିକଟରେ ଆଧୁନିକ ବାଓଫ୍ଲକ ପଦ୍ଧତି ସହିତ ଗାଁ ପୋଖରୀକୁ ଲିଜ ଆଣି ମାଛ ଚାଷରେ କରିଛନ୍ତି ବିନିଯୋଗ । ମାଛଚାଷ ଆମକୁ ଆର୍ଥିକ ସଶକ୍ତ ହେବାରେ ସାହାଯ୍ୟ କରିଥିବା କହିଛନ୍ତି ଅଂଶୀଦାର ମହିଳା ସ୍ୱରୋଜଗାରୀ ।
ଦିନେ ମାଛଚାଷ କହିଲେ କେବଳ ପୁରୁଷଙ୍କ ବୃତ୍ତିକୁ ବୁଝାଯାଉଥିଲା । ଏବେ ଏଥିରେ ବଢ଼ିଲାଣି ମହିଳାଙ୍କ ଭାଗିଦାରୀତା । ଘର ଅଗଣାରେ ଆଧୁନିକ ପଦ୍ଧତିରେ ମାଛଚାଷ ହେଉକି ଜଳାଶୟରେ ପାରମ୍ପରିକ ଭାବେ ମାଛ ଅମଳ ହେଉ ମହିଳା ଚାଷୀ ମାନେ ନିୟୋଜିତ ରହି ସୃଷ୍ଟି କରୁଛନ୍ତି ଦୃଷ୍ଟାନ୍ତ । ଅନୁରୂପ ଭାବେ ରାଧାକୃଷ୍ଣ ଏସ ଏଚ ଜି ଯୋଡି ହୋଇଛି ମାଛଚାଷରେ । ଦେଢ଼ଲକ୍ଷ ଟଙ୍କାର ନିଜସ୍ୱ ବ୍ୟାଙ୍କଋଣ ଓ ଜୀବିକା ନିର୍ବାହ ମିଶନରୁ ୩ଲକ୍ଷ ଟଙ୍କାର ଋଣ ସହାୟତା ଯୋଗାଡ଼ କରି ବ୍ୟବସାୟିକ ମାଛଚାଷରେ ଆଗକୁ ବଢୁଛନ୍ତି । କେନ୍ଦୁଝରର ସଫଳ କାହାଣୀକୁ ଅନୁସରଣ କରି ମସ୍ୟବିଭାଗ ଓ ବ୍ଲକ ପ୍ରଶାସନ ସହଯୋଗରେ ଧଉରାଖମନ ଗାଁରେ ସଫଳ ହୋଇଛି ବାଓଫ୍ଲକ ମାଛଚାଷ । ବ୍ଲକ ପ୍ରଶାସନ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଛି ବୋଲି କହିଛନ୍ତି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ବାଇଁ ।
ସଫଳ ହୋଇଛି ଶ୍ରମ । ବୃଥା ଯାଇନାହିଁ ସାମୁହିକ ପ୍ରୟାସ । ଆଗ୍ରହ ,ନିଷ୍ଠା ଓ ଇଛା ଥିବାରୁ ପୁରୁଷ ପ୍ରଧାନ ବୃତ୍ତିରେ ପାଦ ଥାପି ସଫଳ ହୋଇଛନ୍ତି ସୁବର୍ଣ୍ଣପୁରର ସ୍ୱୟଂ ସହାୟକ ଗୋଷ୍ଠୀ ।