ସେ ନିଜ ବାପା ଓ ପରେ ସ୍ୱାମୀଙ୍କ ସହିତ ୧୫ ଥର ବଦଳାଇଛନ୍ତି ଘର । ପ୍ରତିଥର ସେ ଗୋଟିଏ ଠିକଣାରୁ ଆଉ ଏକ ଠିକଣାରେ ବସା ବାନ୍ଧିବାକୁ ଯିବା ବେଳେ ନିଜ ବାଲକୋନୀ,ଟେରାସ ଓ ଛାତ ଉପରେ ଲଗାଇଥିବା ଗଛ ଗୁଡିକୁ ଭୁଲି ନାହାନ୍ତି । ବରଂ ଘରର ଦାମୀ ଆସବାବ ଓ ପୋଷା ଜୀବଙ୍କ ଭଳି ଯତ୍ନର ସହିତ ଗଛ ଲତା ଗୁଡିକର ପରିବହନ ବ୍ୟବସ୍ଥା କରାଇ ବୃକ୍ଷପ୍ରେମୀ ଭାବେ ନିଜର ନିଆରା ପରିଚୟ ସୃଷ୍ଟି କରିଛନ୍ତି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବାସିନ୍ଦା ବୀଣା ରାଠି ।
ବୀଣାଙ୍କ ପିତା ଜଣେ ଆର୍ମି ଅଫିସର ଥିଲେ । ତାଙ୍କର ଚାକିରୀ ଗୋଟିଏ ଜାଗାରେ ନିର୍ଦ୍ଧିଷ୍ଟ ନ ଥିଲା । ସେନାର ଆବଶ୍ୟକତା ଅନୁଯାୟୀ ହେଉଥିଲା ତାଙ୍କର ବଦଳି । ପ୍ରତିଥର ବଦଳି ବେଳେ ଘରର ସଦସ୍ୟ ମାନେ ସମ୍ମିଳିତ ଭାବେ ଜିନିଷ ପତ୍ର ପ୍ୟାକିଂ ଓ ପରିବହନ ବ୍ୟବସ୍ଥା ତଦାରଖ କରୁଥିଲେ । ଘରର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭବ ଥିଲା ଗଛଲତା । ଏଗୁଡ଼ିକୁ ନେଲାବେଳେ ୫୦ ପ୍ରତିଶତ ଗଛ ନଷ୍ଟ ହୋଇଯାଉଥିବ ବେଳେ ଆଉ କିଛି ଗଛକୁ ବଡ଼ ହୋଇଯାଇଥିବା କାରଣରୁ ମୂଳ ଜାଗାରେ ଛାଡି ଦେଇ ଆସିବାକୁ ପଡୁଥିଲା । ଘରର ସମସ୍ତ ସଦସ୍ୟ ମାନେ ନୂଆ ଠିକଣାରେ ରହିବା ମାତ୍ରକେ ପ୍ରଥମ ଚିନ୍ତା ଆସୁଥିଲା ନଷ୍ଟ ହୋଇଯାଇଥିବା ଗଛ ଗୁଡିକୁ କିଭଳି ଆଣିଥିଲେ ହୁଏତ ସେଗୁଡିକ ବଂଚି ରହି ପାରିଥାନ୍ତା । ବୀଣା ବଡ଼ ହୋଇ ବାହାହେଲେ । କିନ୍ତୁ ତାଙ୍କ ଜୀବନରୁ ଦୂର ହୋଇନଥିଲା ଏହି ସମସ୍ୟା ।
ବୀଣାଙ୍କ ସ୍ୱାମୀ ମଧ୍ୟ ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ । ତାଙ୍କର ମଧ୍ୟ ନିୟମିତ ବ୍ୟବଧାନରେ ହେଉଥିଲା ବଦଳି । ମଧ୍ୟପ୍ରଦେଶର ଜବଳପୁରରୁ ରାଜସ୍ଥାନକୁ ତାଙ୍କ ସ୍ୱାମୀଙ୍କ ବଦଳି ହେବା ପରେ ବୀଣା ଜଳବାୟୁ ,ଆଦ୍ରତା ,ଗଛର କ୍ଷତି ଆକଳନ ଓ ଗଛର ଆୟୁକୁ ବିଚାର କରି ସ୍ୱୟଂ ପ୍ୟାକେଜିଙ୍ଗ କାମ କରିଥିଲେ । ଏଥର ସେ ଖୁବ କମ ଗଛ ନଷ୍ଟ ହୋଇଥିବା ଦେଖିଲେ । ବାରମ୍ବାର ଘର ବଦଳାଉଥିବା ବୀଣା ଗଛ ଉପରେ ଏହାର ପ୍ରଭାବ ବୁଝିଯାଇଥିଲେ ଓ ଏ ଦିଗରେ ଅନେକ ଜ୍ଞାନ ଆହରଣ କରିଥିଲେ । ଫାଙ୍କା ସମୟରେ ନର୍ସରୀ ବିଜ୍ଞାନ ଅଧ୍ୟୟନ କରି ଜାଣିଥିଲେ ଗଛ ଗୁଡିକର ରୋପଣ ,ଯତ୍ନ ,ଅଭିବୃଦ୍ଧି ଓ ଏଗୁଡିକର ସାଜସଜ୍ଜା ପାଇଁ ବ୍ୟବହାର । ପରବର୍ତ୍ତୀ ସମୟରେ ବୀଣାଙ୍କ ସ୍ୱାମୀ ଅବସର ନେବା ପରେ ବୀଣା ନିଜ ଘର ଦିଲ୍ଲୀରେ ଅଳଙ୍କାରିକ ଓ ପ୍ରସାଧାନିକ ତଥା ଔଷଧୀୟ ମୂଲ୍ୟ ଥିବା ଚାରା ଅମଳ ନର୍ସରୀ ବ୍ୟବସାୟରେ ପାଦ ଥାପିଲେ । ବଗିଚାରୁ ସେମାନଙ୍କ ବ୍ୟାୟାମ ହୋଇଯାଉଥିବ ବେଳେ ମିଳିପାରୁଛି ଶୁଦ୍ଧ ମନୋରଞ୍ଜନ । ଚାରା ନର୍ସରୀ ତାଙ୍କୁ ବାର୍ଷିକ ୨୦ ଲକ୍ଷର ରୋଜଗାର ଦେଉଛି ।