ପ୍ରତିଟି ବିହନର ହକ ରହିଛି ଚାରା ହେବାର ଏବଂ ପ୍ରତିଟି ଚାରାର ଅଧିକାର ରହିଛି ଗଛଟିଏ ହେବାର । ଏଭଳି କରିବାରେ ଆମର ରହିଛି ଗୁରୁ ଦାୟିତ୍ୱ । ପରିବେଶ ପ୍ରତି ନିଜର ଏଭଳି ଚିନ୍ତା ଓ ଭାବନା ସହିତ ପୁନେର ଜଣେ ଗୃହିଣୀ ବୈଷ୍ଣବୀ ପାଟିଲ ନିଜ ଘରକୁ ଦେଶୀ ବିହନର ବ୍ୟାଙ୍କରେ ପରିଣତ କରିବା ସହିତ ଲୋକଙ୍କୁ ମାଗଣାରେ ବିହନ ଯୋଗାଇ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୫୦ ଲକ୍ଷରୁ ଅଧିକ ଦେଶୀ ବିହନ ଲୋକଙ୍କୁ ବାଣ୍ଟିଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବନ ବିଭାଗର କର୍ମଚାରୀ ମାନେ ବୈଷ୍ଣବୀଙ୍କ ବିହନ ବ୍ୟାଙ୍କରୁ ଉପକୃତ ହୋଇଛନ୍ତି । ମହାରାଷ୍ଟ୍ରର ଗାଁ ମାନଙ୍କରୁ ହଜି ଯାଇଥିବା ବିଭିନ୍ନ ଦେଶୀ ଫୁଲ ,ଫଳ ,କୋଳି ,ପଶୁଖାଦ୍ୟ ,ଆଳଙ୍କରିକ ପ୍ଲାଣ୍ଟ ଓ ଔଷଧୀୟ ବୃକ୍ଷଲତା ଗୁଡିକର ବିହନ ସେ ବିଭିନ୍ନ ଆଡୁ ସଂଗ୍ରହ କରି ବଂଶ ବିସ୍ତାର କରାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି ।
ଚାଷୀ ପରିବାରରୁ ଆସିଥିବା ବୈଷ୍ଣବୀ ନିଜ ବାପାଙ୍କ ଠାରୁ ଆୟତ୍ତ କରିଥିଲେ ଦେଶୀ ବିହନ ସଂରକ୍ଷଣର ଜ୍ଞାନ । ବାହା ହୋଇ ପୁନେ ଆସିବା ପରେ ସେ ଗାଁ ମାଟିର ଜୈବ ବିବିଧତା ଓ ଏହାର ଉପକାରିତା ଭୁଲିନଥିଲେ । ସହରରେ ରହିବା ଭିତରେ ସେ ଯେତେବେଳେ ଗାଁକୁ ଯାଉଥିଲେ ବିହନ ସଂଗ୍ରହ କରି ଆଣୁଥିଲେ ଓ ସାଇତି ରଖୁଥିଲେ । ଏହାରି ଭିତରେ ସେ ଆରମ୍ଭ ଫାଉଣ୍ଡେସନ ନାମକ ଏକ ସାମାଜିକ ସଂଗଠନ ଗଢି ଏହି କାମକୁ ତ୍ୱରାନ୍ୱିତ କରିଥିଲେ । ବନ ବିଭାଗ ସହିତ ଯୋଡି ହୋଇ ସେ ପୂର୍ବଘାଟ ପର୍ବତମାଳା ଅଂଚଳର ଗାଁ ମାନଙ୍କରୁ ବିହନ ସଂଗ୍ରହ ଓ ତଥ୍ୟାୟନ ଅଭିଯାନ କରି ସଫଳ ହୋଇଥିଲେ । ବୈଷ୍ଣବୀଙ୍କ ନିରନ୍ତର ପ୍ରୟାସ ମହାରାଷ୍ଟ୍ର ଅନେକ ବିରଳ ,ବିଲୁପ୍ତ ଓ ନିଶ୍ଚିହ୍ନ ପ୍ରଜାତିର ମୂଲ୍ୟବାନ ବିହନକୁ ଚାରା ଓ ଗଛ ହେବାର ଅଧିକାର ଦେଇଥିଲା ।