• Sunday, September 22, 2024

ସଂସ୍କୃତିର ପ୍ରସାରରେ ତେଜସ୍ମିତା

Subhadra Live:Hobby-Turns-Into-Profession-For-Tejasmita-Pattnaik

ନିଶା ପାଲଟିଛି ପେଶା । ପେଇଁଟିଙ୍ଗକୁ ସବୁଦିନିଆ କାମ ଭିତରେ ରଖି ଓଡ଼ିଶାର କଳା ସଂସ୍କୃତିର  ପ୍ରଚାର ପ୍ରସାରରେ ଲାଗିଛନ୍ତି ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଲୁମ୍ବିନି ବିହାରର ବାସିନ୍ଦା ତେଜସ୍ମିତା ପଟ୍ଟନାୟକ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବା ଏହି ଗୃହିଣୀ ଦିନେ ଖୁସି ପାଇଁ କରୁଥିଲେ ଚିତ୍ରକଳା । ପରବର୍ତ୍ତୀ ସମୟରେ ଏହା ତାଙ୍କର ପାଲଟିଯାଇଛି  ବୃତ୍ତି । ବୃତ୍ତିରେ ଉନ୍ନତି ଆଣିବା  ପାଇଁ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ସେ କରୁଛନ୍ତି ସୁନ୍ଦର ସୁନ୍ଦର ପେଇଁଟିଙ୍ଗସ । କାନଭାସ ଅପେକ୍ଷା ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଅଙ୍କିତ ଚିତ୍ର ଅପେକ୍ଷାକୃତ ଶସ୍ତା ଓ ଅଧିକ ମାତ୍ରାରେ ଗ୍ରହଣୀୟ ବୋଲି କହିଛନ୍ତି ନିଆରା ଏହି ଚିତ୍ରଶିଳ୍ପୀ । ଫୁଲକୁଣ୍ଡ ,ଠାରୁ ଆରମ୍ଭ କରି ପେନଷ୍ଟାଣ୍ଡ ଓ ଶାଢ଼ୀ ଠାରୁ ଆରମ୍ଭ କରି ପୋଷାକ ଓ ଗୃହସଜ୍ଜା ସାମଗ୍ରୀ ଉପରେ  ଚିତ୍ର ଆଙ୍କି ସେ ଏହାକୁ ମୂଳ୍ୟଯୋଗ କରିଛନ୍ତି । ତେଜସ୍ମିତା କହନ୍ତି ଛୋଟ ଛୋଟ ବ୍ୟବହାର  ସାମଗ୍ରୀ ଉପରେ ଚିତ୍ରକଳା ରହିଲେ ଏହା ବ୍ୟବହାର କରିବାକୁ ଇଛା ହେବ ଏବଂ କଳାର ପ୍ରସାର ଘଟିବ ।

ତେଜସ୍ମିତାଙ୍କ ଘର ସାରା ରଙ୍ଗର ପସରା । ସଜଡା ହୋଇ ରହିଛି ନାନା ପ୍ରକାରର ପେଇଁଟିଙ୍ଗସ । ଏହାକୁ ସେ ଉଭୟ ଅଫ ଲାଇନ ଓ ଅନଲାଇନ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି । ଅନଲାଇନ ବିକ୍ରି ପାଇଁ ସେ ଦୁଇବର୍ଷ ତଳୁ ମାଜେଷ୍ଟିକ ମେଲାଞ୍ଜ ଡଟ କମ ନାଁରେ ଏକ ୱେବ ସାଇଟ ଖୋଲିଥିବା ବେଳେ ହାତରୁ ଖର୍ଚ୍ଚ କରି ସେ  ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରାଇଥାନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ପେଇଁଟିଙ୍ଗସ  ଗୁଡିକ ଜୀବନ୍ତ ଓ ପ୍ରଭାବୀ । ରାଜ୍ୟକୁ ଜଗନ୍ନାଥ ସଂସ୍କୃତି ସହିତ ସମ୍ପୃକ୍ତ କରାଇ ସେ ଶାଢ଼ୀ ଉତ୍ତରୀୟ ଓ କପଡା ଉପରେ କମନୀୟ ଦେବ ବିଗ୍ରହ ଆଙ୍କି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ନଡ଼ିଆ ସଢ଼େଇ ଉପରେ ପ୍ରଥମେ ସେ  ଆଙ୍କିଥିବା ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ରରୂପ ପ୍ରସଂଶା ସାଉଣ୍ଟିବା ପରେ ସେ ଆଉ ପଛକୁ ଫେରିନାହାନ୍ତି । ନିଜେ ଏଥିରୁ ରୋଜଗାର ,ସମ୍ମାନ ଓ ଖୁସି ପାଉଥିବା ବେଳେ ପ୍ରତିଭା ସମ୍ପର୍ଣ୍ଣ ଯୁବବର୍ଗଙ୍କୁ ମାଗଣା ପ୍ରଶିକ୍ଷଣ ଦେଇ ତିଆରି କରୁଛନ୍ତି ଯୋଗ୍ୟ ଦାୟାଦ ।

ଅଧିକ ପଢ଼ନ୍ତୁ :ରାହା ଦେଖାଇଛି ସିଲେଇ ଶିକ୍ଷା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.