ଛତିଶଗଡ ଦୁର୍ଗ ଜିଲ୍ଲାର ବାସିନ୍ଦା ଜୋୟା ମିର୍ଜା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜୋୟା ମିର୍ଜା ଭାରତୀୟ ସେନାର କମିଶନ ଲେଫ୍ଟନାଣ୍ଟ ଡାକ୍ତର ଭାବରେ ଯୋଗ ଦେଇ ରଚିଛନ୍ତି ଇତିହାସ । ସଶସ୍ତ୍ର ବାହିନୀ ମେଡିକାଲ କଲେଜରୁ ଏମବିବିଏସ ପାଠପଢ଼ି ସାରିବା ସେ ଏହି ନୂତନ ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି । ଛତିଶଗଡ଼ ଦୁର୍ଗ ଜିଲ୍ଲାର ଛୋଟ ଏକ ସହରରୁ ଦେଶର ସବୁଠୁ ସମ୍ମାନ ଜନକ ଚାକିରୀରେ ଯୋଗଦେବା ପଛରେ ରହିଛି ତାଙ୍କର ଅଦମ୍ୟ ନିଷ୍ଠା ,ସାହସ ଆଉ ଉତ୍ସାହ । ଜୋୟା ୨୦୨୩-୨୪ ବର୍ଷରେ ଏଏଫଏମସିରୁ ମେଡିକାଲ ଡିଗ୍ରି ସମାପ୍ତ କରିବା ପରେ ଏହି ସ୍ଥାନରେ ପହଂଚିଛନ୍ତି । ଏହି ସଫଳତା ପାଇବା ପାଇଁ ଅନେକ କଷ୍ଟ ଓ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ଜୋୟା କହିଛନ୍ତି । ଏହି ପଦବୀରେ ଯୋଗଦେବା ପରେ ଜୋୟା ରାଜ୍ୟର ପ୍ରଥମ ମହିଳା ଲେଫ୍ଟନେଣ୍ଟ ଡାକ୍ତର ଭାବେ ନୂଆ ପରିଚୟ ହାସଲ କରିଛନ୍ତି । ନିଜର ପାଠପଢ଼ା କଥା କହିବାକୁ ଯାଇ ସେ କହିଛନ୍ତି ଯେ ପିଲାଦିନରୁ ଅଧ୍ୟୟନରେ ମୋର ରୁଚି ଥିଲା । ମୋ ବୟସର ପିଲାମାନେ ବାହାରେ ଖେଳୁଥିବା ବେଳେ ମୋତେ ଘରେ ରହି ବହି ପଢ଼ିବାର ଇଛା ରହିଥିଲା । ଜାମ୍ମୁ କାଶ୍ମୀରରେ ଯୋଗଦେବାର ଦିନକ ପୂର୍ବରୁ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ ଏହାର ଶ୍ରେୟ ନିଜର ଜେଜେ ଓ ଜେଜେ ମାଙ୍କୁ ଦେଇଛନ୍ତି । ଦୁଃଖର କଥା ସେମାନେ ଆଜି ନାତୁଣୀର ଏଭଳି ସଫଳତା ଦେଖିବାକୁ ନାହାନ୍ତି । ପ୍ରାଣୀ ବିଜ୍ଞାନର ସ୍ୱତନ୍ତ୍ର ବିଷୟ ରଖିଥିବା ଜୋୟା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଥରେ ଫେଲ ହୋଇଯିବା ପରେ ଭାଙ୍ଗିପଡିଥିଲେ । ଏଭଳି ସମୟରେ ତାଙ୍କର ଜେଜେ ଭରିଥିଲେ ଉତ୍ସାହ । ଦ୍ୱିତୀୟ ପ୍ରୟାସ ପରେ ମିଳିଥିଲା ସଫଳତା ।
ସାଧାରଣ ପରିବାରରୁ ଆଇ ଏ ଏସ ; ଉଦାହରଣ ସୃଷ୍ଟି କରିଛନ୍ତି ମମତା