• Saturday, September 21, 2024

କୋରାପୁଟରେ ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ

Subhadra Live:First-Tunnel-National-Highway-in-Koraput

କୋରାପୁଟ ପାଇଁ ରହିଛି ପ୍ରକୃତିର ଅନବଦ୍ୟ ଅବଦାନ । ଏହାର ପାହାଡ଼ ,ଝରଣା ,ଜଳଭଣ୍ଡାର ଓ ଆଦିବାସୀ ଜନଜୀବନ ବର୍ଷ ପରେ ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ । ଏବେ ଏଥିରେ ଯୋଡି ହେବାକୁ ଯାଉଛି ନୂଆ ଏକ ଅଧ୍ୟାୟ । କୋରାପୁଟରେ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ସୁଡ଼ଙ୍ଗ ରାଜପଥ ଆଗନ୍ତୁକ ମାନଙ୍କ ପାଇଁ ଆଣିଦେବ ରୋମାଞ୍ଚକର ଅନୁଭବ ।

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସୁଙ୍କିରେ ଠାରେ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ ନିର୍ମାଣ ହେଉଛି। ଏହା ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ଜାତୀୟ ରାଜପଥ ହେବ । ଏହି ସୁଡ଼ଙ୍ଗ ରାସ୍ତା ପର୍ଯ୍ୟଟକଙ୍କୁ ବେଶ ରୋମାଞ୍ଚକର ଅନୁଭୂତି ଦେବ। ସୂଚନା ଅନୁଯାୟୀ, ବ୍ରିଟିଶ ଶାସନ ସମୟରେ ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚରେ ଥିବା ପାହାଡ଼ କାଟି ବିଜୟନଗରମ୍‌‌ ଓ କୋରାପୁଟ ମଧ୍ୟରେ ରାସ୍ତା ନିର୍ମାଣ ହୋଇଥିଲା। ସେତେବେଳର ଇଂରେଜ ସରକାର ଜର୍ମାନୀର ଇଞ୍ଜିନିୟର କର୍ଣ୍ଣେଲ ସଙ୍କେଶଙ୍କ ଦ୍ୱାରା ଏହି ଘାଟି ରାସ୍ତାର ନକ୍ସା ପ୍ରସ୍ତୁତ କରାଇଥିଲେ। ତେଣୁ ଏହି ଘାଟିକୁ ସଙ୍କେଶ ଘାଟି ବୋଲି ନାମିତ କରାଯାଇଥିଲା।  ପରବର୍ତ୍ତୀ ସମୟରେ ଏହା  ସୁଙ୍କି ଘାଟି ବୋଲି ପରିଚିତି ପାଇଛି । ଏହି ପ୍ରକଳ୍ପ ୨୦୨୫ ସୁଦ୍ଧା ଶେଷ ହେବା । ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି ।

ଆନ୍ଧ୍ରର ସାଲୁରଠାରୁ କୋରାପୁଟର ପଟ୍ଟାଙ୍ଗି ପର୍ଯ୍ୟନ୍ତ ୪୫ କିଲୋମିଟର ଘାଟି ରାସ୍ତା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ବେଳେ ଏହି ରାସ୍ତାରେ ଯାତ୍ରୀ ବେଶ ଉପଭୋଗ କରିଥାଆନ୍ତି । ଏହି ଘାଟି ରାସ୍ତାରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ସହ ଛଅ ଥାକିଆ ଏକ୍ସପ୍ରେସ୍‌‌ ହାଇୱେ । ଏହି ଟନେଲ ରାସ୍ତାର ଲମ୍ୱ ଯଥାକ୍ରମେ ୩.୪୨ କିମି ଓ ୨.୮ କିଲୋ ମିଟର । ଭାରତମାଳା ପ୍ରକଳ୍ପ ଅଧୀନରେ ଛତିଶଗଡ଼ ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ନିର୍ମାଣ ହେଉଥିବା ଭାରତମାଳା ରାଜପଥରେ ଯାତ୍ରୀମାନଙ୍କ ସୁବିଧା ଲାଗି ନିର୍ଦ୍ଧିଷ୍ଟ ଦୂରତାରେ ପେଟ୍ରୋଲ ପମ୍ପ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହେବ । ରାଜପଥର ଏହି ଅଂଚଳ ଦେଇ ଯାତାୟାତ କରୁଥିବା ଯାତ୍ରୀ ଏହାର ଅପରୂପ ଦୃଶ୍ୟ ଦେଖି ବିମୋହିତ ହେଉଥିବା ବେଳେ ଆଗକୁ ସୁଡ଼ଙ୍ଗ ଯାତ୍ରାର ରୋମାଞ୍ଚକର ଅନୁଭବ ପାଇବେ ।

ଅଧିକ ପଢ଼ନ୍ତୁ: ଗୁଦଗୁଦା :ଯେଉଁଠି ପ୍ରକୃତି ଗଦେଇ ଦେଇଛି ସବୁ ସୁଷମା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.