• Saturday, September 21, 2024

ବୁଲି ଆସନ୍ତୁ ମଣିନାଗ

Subhadra Live:Maninaga-Hill-and-Temple-A-Major-Tourist-Attraction-in-Nayagarh

 ନୟାଗଡ ଜିଲ୍ଲାର ମଣିନାଗ ପାହାଡ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ପ୍ରିୟ ସ୍ଥାନ । ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ମଣିନାଗ ପାହାଡ଼  । ଏଠାକାର ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼ର ଶୋଭା ଦେଖିବାକୁ ମିଳିଥାଏ ।  ଚାରିଆଡେ ଗଛ ବୋଝେଇ ସୁଉଚ୍ଚ ପର୍ବତମାଳା । ନୟାଗଡ଼ ସହର  ଠାରୁ ୨୮ କିଲୋମିଟର ଦୂରରେ ରଣପୁର ଗଡ ଅବସ୍ଥିତ  । ଗଡ଼ର ଅନତି ଦୂରରେ  ରହିଛି ଏହି ସୁନ୍ଦର ମଣିନାଗ ପାହାଡ । ପାହାଡର  ଶୀର୍ଷରେ ବିରାଜମାନ କରିଛନ୍ତି ଦେବୀ ମା ମଣିନାଗ । ଏହି ପାହାଡରେ ତଳ ଭାଗରେ “ତଳ ମଣିନାଗ” ଏବଂ ଉପରେ  “ଉପର ମଣିନାଗ”ଙ୍କ  ପୀଠ ରହିଛି । ଅତୀତରେ ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି । ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନର ସର୍ବୋତ୍ତମ ବିକଳ୍ପ ଏହି ମଣିନାଗ ପର୍ବତ ପାଲଟିଛି ।

ଏଠାରେ ସୂର୍ଯ୍ୟାସ୍ତ ସମୟରେ ହିଲ୍ ଭ୍ୟୁ ବହୁତ ସୁନ୍ଦର ଅଟେ । ସୁନ୍ଦର ପ୍ରାକୃତିକ ବାତାବରଣ ଏବଂ ଚମତ୍କାର ହିଲ୍ ଦୃଶ୍ୟ ପରିଦର୍ଶକଙ୍କୁ ଆକର୍ଷିତ କରିଥାଏ । ସେହି ପାହାଡର ଶିଖରରେ ପହଞ୍ଚିବାକୁ ୧୭ଟି ଘାଟ ଅଛି । ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଘଞ୍ଚ ଜଙ୍ଗଲ ଶୀତ ସନ୍ଧ୍ୟାରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରିଥାଏ  । ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ । ପାହାଡ଼ ଚଢା ଅନୁଭବ ସହିତ ସୁନ୍ଦର ପ୍ରାକୃତିକ ସୁଷମାର ଉପଭୋଗ ଇଛା ଥିଲେ ରଣପୁର ଗଡ଼ ଆସନ୍ତୁ । ଦେବୀ ମଣିନାଗଙ୍କ ଦର୍ଶନ ସହିତ ରଣପୁରର ଐତିହାସିକ ଗଡ଼ ଓ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବିଭୁ କୃପା ସହିତ କର୍ମ କ୍ଳାନ୍ତ ଜୀବନରେ ସରସତା ଭରନ୍ତୁ ।

ଅଧିକ ପଢନ୍ତୁ: ଗୁଦଗୁଦା :ଯେଉଁଠି ପ୍ରକୃତି ଗଦେଇ ଦେଇଛି ସବୁ ସୁଷମା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.