ଦିନେ ଘର ଘର ବୁଲି କରୁଥିଲେ କାମ । ଏବେ କୃଷି ,ପଶୁପାଳନ ଓ ମାଛଚାଷରୁ କରୁଛନ୍ତି ବାର୍ଷିକ ୧୦ ଲକ୍ଷରୁ ଅଧିକ ଆୟ । ସରକାରୀ ସହାୟତା ଏଭଳି ଭାବେ ବଦଳାଇ ଦେଇଛି ଜଣେ ମହିଳାଙ୍କ ଭାଗ୍ୟ । ମହିଳା ଜଣଙ୍କ ହେଉଛନ୍ତି ନୂଆପଡା ଜିଲ୍ଲା ଜୁନାନୀ ଗାଁର ବୃନ୍ଦାବତୀ ଖର୍ସେଲ । ବୃନ୍ଦାବତୀଙ୍କ ଜୀବନରେ କଡ଼ ଲେଉଟାଇଛି ସୁଖ । ଦିନେ ସେ ନିଜର ପେଟ ପୁରାଇବା ଗାଁ ଠାରୁ ୫ କିଲୋମିଟର ଦୂର ନୂଆପଡା ସହରକୁ ପ୍ରତିଦିନ କାମ ଖୋଜିବାକୁ ଯାଉଥିଲେ । ଏବେ ମଜୁରିଆରୁ ପାଲଟିଛନ୍ତି କୃଷି ଉଦ୍ୟୋଗୀ । ଛେଳି ,କୁକୁଡ଼ା ,ଗାଈ ,ବତକ ସହିତ ମାଛ ଚାଷ କରି ସେ ବଦଳାଇଛନ୍ତି ନିଜର ଆର୍ଥିକ ସ୍ଥିତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହିତ ବ୍ୟାଙ୍କ ଋଣକୁ ବିନିଯୋଗ କରି ସେ କରିଛନ୍ତି ଏକ କୁକୁଡ଼ା ଫାର୍ମ । ଫାର୍ମରେ ଅଛନ୍ତି ୮ହଜାରରୁ ଅଧିକ କୁକୁଡ଼ା । ମାଂସ ପାଇଁ କୁକୁଡ଼ା ବିକ୍ରିକରି ସେ ବେଶ କିଛି ରୋଜଗାର କରୁଛନ୍ତି ।
୫ଏକର ଜମିରେ ପରିବା ଚାଷ କରିଛନ୍ତି ବୃନ୍ଦାବତୀ । ଟମାଟୋ ,ବାଇଗଣ ସହିତ କରିଛନ୍ତି ମୁଗ ଆଉ ବାଦାମ ଚାଷ । ଦୁଇଟି ପୋଖରୀରେ ମାଛଚାଷ ସହିତ ପାଳିଛନ୍ତି ଗାଈ ,ଛେଳି ଆଉ ବତକ । ସମନ୍ବିତ କୃଷି ତାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିଛି । ଉର୍ବର ମାଟି ସାଙ୍ଗକୁ ଚାଷୀ ପରିବାରର ମେହନତୀର ସୁଫଳ ମିଳିଛି ବାଇଗଣ କ୍ଷେତରୁ । ଦୁଇ ପ୍ରଜାତିର ବାଇଗଣ ବେଶ ବଡ଼ ଆକାର ସହିତ ଅଧିକ ସଂଖ୍ୟାରେ ଫଳିଛି । ସରକାରୀ ସହଯୋଗକୁ ଆଧାର କରି ବୃନ୍ଦାବତୀଙ୍କ ୭ ଜଣିଆ ପରିବାର କୃଷିକୁ କରିଛନ୍ତି ମୁଖ୍ୟ ଜୀବିକା । ସବୁଥିରୁ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରି ବୃନ୍ଦାବତୀ ସୃଷ୍ଟି କରିଛନ୍ତି ଅନନ୍ୟ ନିଦର୍ଶନ ।